ଭୁବନେଶ୍ବର: ରାଜ୍ୟରେ ପ୍ରାଣୀମାନେ ଅଧିକ ରୋଗାଗ୍ରସ୍ତ ହେଉଛନ୍ତି । ଫଳରେ ଗୁଣାତ୍ମକ ଚିକିତ୍ସାରେ ଚାହିଦା ବଢୁଛି । ଅନ୍ୟପଟେ ପ୍ରାଣୀ ଚିକିତ୍ସାମାନେ ଅନେକ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି । ନିକଟରେ ବାଲେଶ୍ବର ଜଳେଶ୍ବରରେ ଏଭିଏଏସ ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ପ୍ରାଣୀସମ୍ପଦକ ସେବା ସଙ୍ଘ ଗଭୀର ନିନ୍ଦା କରିଛି । ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି ମଧ୍ୟ କରିଛି । ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ଲାଗି ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ପ୍ରାଣୀ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ରୂପାନ୍ତରଣ ସମେତ ପ୍ରାଣୀସମ୍ପଦ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସଙ୍ଘ ପକ୍ଷରୁ ଦାବି ହୋଇଛି ।
ଗତ ୨ ତାରିଖରେ ଜଳେଶ୍ବରର ଏଭିଏଏସ ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତା ଏକ ଛେଳି ମୃତ୍ୟୁ କାରଣରୁ ଡ୍ୟୁଟି ସମୟରେ ଅଟକ ରଖାଯାଇଥିଲା । ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଲା ପରେ ଡାକ୍ତରଙ୍କୁ ଛାଡିଥିଲେ ଗ୍ରାମବାସୀ । ଛେଳିକୁ କ୍ବାକ୍ମାନେ ଭୁଲ ଚିକିତ୍ସା କରିଥିଲେ ଏବଂ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଙ୍କ ପାଖକୁ ଅଣାଯାଇଥିଲା । ରାଜ୍ୟରେ ଘଟୁଥିବା ଏହିଭଳି ଏକାଧିକ ଘଟଣାର ଏହା ଏକ ଉଦାହରଣ । ଯେଉଁଥିରେ ପ୍ରାଣୀସମ୍ପଦକ ଚିକିତ୍ସକମାନେ ପୋଲିସ ଅଥବା ସରକାରଙ୍କ ନିକଟରୁ କୌଣସି ସହାୟତା ପାଉନାହାନ୍ତି । ପ୍ରକୃତ କଥା ହେଉଛି ପ୍ରାଣୀ ମାଲିକମାନେ ଯଥାର୍ଥରେ ସରକାରୀ ସୁବିଧା ସ୍ଥଳଗୁଡିକରେ ସେମାନଙ୍କ ପ୍ରାଣୀମାନଙ୍କର ଉପଯୁକ୍ତ ଚିକିତ୍ସା ଆଶା କରୁଛନ୍ତି ।
ଅନ୍ୟପକ୍ଷରେ ଉପରିସ୍ଥ କର୍ତ୍ତୃପକ୍ଷ ପ୍ରାଣୀ ଚିକିତ୍ସକମାନଙ୍କୁ ରିହାତି ବଣ୍ଟନ, ଅନାବଶ୍ୟକ ବୈଠକ ଏବଂ ଟ୍ରାକ୍ଟର ଓ ରିପର୍ ଆଦି ବିକ୍ରି କରିବା ଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରାଣୀସମ୍ପଦକ ଚିକିତ୍ସକମାନଙ୍କ ପାଇଁ କୋଣସି ଧାର୍ଯ୍ୟ କାର୍ଯ୍ୟ ସମୟ ନାହିଁ କିମ୍ବା ସୁସ୍ପଷ୍ଟ କାର୍ଯ୍ୟ ସାରଣୀ ନାହିଁ । ଲୋକଶକ୍ତି ଏବଂ ଉପଲବ୍ଧ ସୁବିଧା ସୁଯୋଗ ଆଦି କ୍ଷେତ୍ର ପରିସ୍ଥିତିର ଆକଳନ ନକରି ଅନେକ ଥର ପ୍ରାଣୀ ସମ୍ପଦ ହେଲ୍ପ ଲାଇନ ଭଳି ଯୋଜନା ଓ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି। ପ୍ରାଣୀସମ୍ପଦକ ଚିକିତ୍ସକଙ୍କ ଉପରେ ଚଳିତ ସମୟରେ କେତେକ ଘଟଣା ଘଟିଥିବା ବେଳେ ରାଜ୍ୟର ପ୍ରାଣୀସମ୍ପଦ ଚିକିତ୍ସକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଏହା ବି ପଢନ୍ତୁ- ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ
ଭବିଷ୍ୟତରେ ଏହି ଧରଣର ଦୁର୍ଭାଗ୍ୟଜନକ ଘଟଣାଗୁଡିକୁ ରୋକିବା ଲାଗି ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ଓଡ଼ିଶା ପ୍ରାଣୀସମ୍ପଦକ ସେବା ସଂଘ (ଓଭିଏସ୍ଏ) ଦାବି କରିଛି ଯେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ଏବଂ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ମେଡିକାଲ ଡାକ୍ତରଙ୍କ ଭଳି ପ୍ରାଣୀସମ୍ପଦ ଡାକ୍ତରଙ୍କ ବିରୁଦ୍ଧରେ ହିଂସା ରୋକିବା ପାଇଁ ପ୍ରାଣୀସମ୍ପଦକ ସ୍ବାସ୍ଥ୍ୟସେବା ଆଇନ ପ୍ରଣୟନ କରିବା ଦରକାର । ଏହାସହିତ ଓଭିଏସ୍ଏ ପ୍ରାଣୀସମ୍ପଦ ବିଭାଗରେ ପ୍ରାଚୀନ ସେବା ପ୍ରଦାନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ରୂପାନ୍ତରଣ ଆଣିବାକୁ ଦାବି କରିଛନ୍ତି ସଂଘ ।
ପ୍ରାଣୀସମ୍ପଦ ଚିକିତ୍ସା ସେବା ଯୋଗାଣ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ରୂପାନ୍ତରଣ, OMHS କ୍ୟାଡରରେ ମେଡିକାଲ ଡାକ୍ତରମାନଙ୍କ ସହିତ ସମ୍ପୂର୍ଣ୍ଣ ସମାନତା ଆଣିବା, ପ୍ରାଣୀସମ୍ପଦ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପନ, ପ୍ରତି ୧୦ରୁ ୧୨ ଗ୍ରାମପଞ୍ଚାୟତ ପାଇଁ ଜଣେ ଭିଡି, କୃଷି-ଆନୁଷଙ୍ଗିକ କ୍ଷେତ୍ର ପରିଚୟ ହଟାଇବା ଗୋସମ୍ପଦ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବାକୁ ସ୍ବତନ୍ତ୍ର ଭାବରେ ନିଗମ ଗଠନ (AHEDCOL) କରିବା ସହ ରାଜ୍ୟସ୍ତରରେ ଏକ ପ୍ରାଣୀସମ୍ପଦ ମେଳା ଆୟୋଜନ କରିବା, ପ୍ରାଣୀସମ୍ପଦ ଦାତବ୍ୟ ଚିକିତ୍ସା ପ୍ରତିଷ୍ଠାନ ପରିସରକୁ କେବଳ ଏଆର୍ଡି କାର୍ଯ୍ୟକଳାପରେ ବ୍ୟବହାର କରିବା, କାର୍ଯ୍ୟ ସମୟ ଏବଂ କାର୍ଯ୍ୟ ସାରଣୀ ସ୍ଥିର କରିବା ପାଇଁ ସଙ୍ଘ ଦାବି କରିଛି ।
ଏହା ସହ ନିୟମିତ ଭାବରେ ଔଷଧ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ଏବଂ ଅଣ-ବିଭାଗୀୟ କାର୍ଯ୍ୟକଳା ପରେ ସମ୍ପୃକ୍ତ ନକରିବା ଭଳି ଦାବି କରିଛନ୍ତି । ବର୍ତ୍ତମାନ ସରକାରଙ୍କ ଅବହେଳା ପ୍ରତିବାଦରେ କଳା ବ୍ୟାଜ୍ ପିନ୍ଧି ମଧ୍ୟ ସେବା ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ସରକାର ପୁନଃ ଅବହେଳା କଲେ ସେମାନେ ଆଗାମୀ ଦିନ ମାନଙ୍କରେ ସେବାଯୋଗାଣ, ପାରମ୍ପରିକ ହସପିଟାଲ ସମୟଠାରୁ ଅଧିକ ସମୟ କାର୍ଯ୍ୟକରିବା ସମେତ ଡିଜିଟାଲ କାର୍ଯ୍ୟ ଆଦି ଚଳିତ ଫେବୃଆରୀ ମାସ ୧୬ ତାରିଖଠାରୁ କରିବେ ନାହିଁ। ଭବିଷ୍ୟତରେ ସେମାନେ ଗଣ ଛୁଟିରେ ରହିପାରନ୍ତି ବୋଲି ଓଭିଏସ୍ଏର ଉପସଭାପତି ଡ. ଶଙ୍କର୍ଷଣ ମାହୁନ୍ତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର