ଭୁବନେଶ୍ବର: ନିଜକୁ ସୂଚନା ଅଧିକାର କର୍ମୀ କହି କୋଟିକୋଟି ଲୁଟ୍ କରୁଥିବା ଠକ ଗ୍ୟାଙ୍ଗର ଗୁମର ଫିଟିବାରେ ଲାଗିଛି । ସୋମବାର ଏହି ଲିଙ୍କ୍ରେ ଜଣେ ରେଭେନ୍ସା ଛାତ୍ରକୁ ଗିରଫ କରିଛି ଓଡ଼ିଶା ଏସ୍ଟିଏଫ । ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଭାବେ କାମ କରୁଥିଲା ରେଭେନ୍ସା ଛାତ୍ର ଲକ୍ଷ୍ମଣ ମାଢୀ । ଏହାକୁ ମିଶାଇ ଏହି ମାମଲାରେ ମାଷ୍ଟର ମାଇଣ୍ଡ କାହ୍ନୁଚରଣ ପ୍ରଧାନ ସହ 3 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ । ନିଜକୁ ଆରଟିଆଇ କର୍ମୀ ସହ ବଡ଼ବଡ଼ ଅଫିସରର ପରିଚୟ ଦେଇ କୋଟିକୋଟି ଟଙ୍କା ଠକୁଥିଲେ ଏହି ଗ୍ୟାଙ୍ଗ । ଚାକିରି କରାଇବା ଓ ବଦଳି କରାଇଦେବା କହି କରୁଥିଲେ ଲୁଟ୍ ।
କାହ୍ନୁ ଚରଣ ପ୍ରଧାନର ଅନ୍ୟତମ ସହଯୋଗୀ ରେଭେନ୍ସା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି କଳାର ବିଭାଗର ଛାତ୍ର ଲକ୍ଷ୍ମଣ ମାଢୀକୁ ଗିରଫ କରିଛି ଏସଟିଏଫ ଟିମ୍ । ଲକ୍ଷ୍ନଣ ମାଢ଼ୀ ଘର ମାଲକାନଗିରି ହୋଇଥିବା ବେଳେ ସେ ରେଭେନ୍ସାରେ ପାଠ ପଢୁଛି । ତେବେ ସୋମବାର ଦିନ ତାକୁ ଗିରଫ କରାଯାଇଥିବା ବେଳେ ଆଜି(ମଙ୍ଗଳବାର) ତାକୁ କୋର୍ଟ ଚାଲାଣ କରାଯାଇଛି । ତା ଆକାଉଣ୍ଟରେ 60 ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଛି ଏସ୍ଟିଏଫ୍ । ତେବେ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଖୋଳତାଡ ଆରମ୍ଭ କରିଦେଇଛି ପୋଲିସ ।
ଏହାମଧ୍ୟ ପଢନ୍ତୁ..ଧରାପଡ଼ିଲା RTI ମହାଠକ, ଚାକିରିଆଙ୍କୁ ଟ୍ରାନ୍ସଫର ଆଳରେ କରୁଥିଲା ଠକେଇ
ତେବେ ନିଜକୁ ବଡବଡ ସରକାରୀ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଇବା ସହ କୋଟି କୋଟି ଟଙ୍କା ଠକେଇ କରିଥିଲା ଏହି ନକଲି ସୂଚନା ଅଧିକାରୀ ଗ୍ୟାଙ୍ଗ୍ । ଚାକିରି କରାଇଦେବା ଓ ବଦଳି କରାଇଦେବା ଆଳରେ ଠକେଇ କରୁଥିଲା ମାଷ୍ଟରମାଇଣ୍ଡ୍ କାହ୍ନୁଚରଣ ପ୍ରଧାନ । ତେବେ ଅଗଷ୍ଟ 19ରେ ଏସଟିଏଫ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି । ଫେକ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା କାରବାର କରାଯାଉଥିଲା । ତେବେ ନିଜକୁ ଆରଟିଆଇ କର୍ମୀ ଓ ବଡ ସରକାରୀ ଚାକିରିଆ କହି ମୋଟା ଅଙ୍କରେ ଲୁଟ କରୁଥିଲା କାହ୍ନୁ । ଅତିରିକ୍ତ ସଚିବଠୁ ଆରମ୍ଭ କରି ସଚିବ ଓ ବିଭିନ୍ନ ବିଭାଗର ଅଧକ୍ଷ କହି ବିଭିନ୍ନ ଲୋକଙ୍କୁ ନମ୍ବର ଦେଉଥିଲା । ଚାକିରି ବଦଳି ଓ ଚାକିରି ଦେବା ନାଁରେ ଲୋକଙ୍କଠୁ କୋଟିକୋଟି ଟଙ୍କା ଲୁଟିଥିଲା କାହ୍ନୁ ଚରଣ । ପୂର୍ବରୁ ଏହି ଠକେଇ ମାମଲାରେ କାହ୍ନୁ ଚରଣର ମୁଖ୍ୟ ସହଯୋଗୀ କିଶୋର ମିଶ୍ରକୁ ଗିରଫ କରାଯିବା ପରେ ଠକେଇ ସିଣ୍ଡିକେଟ୍ର ଗୁମର ଖୋଲିଥିଲା ।
ମହାଠକ କିଶୋର କୁମାର ମିଶ୍ରକୁ କୋରାପୁଟ ଟାଉନ ଥାନାର ଏକ କେସ ଆଧାରରେ ଏସଟିଏଫ ରାଡାରରେ ଥିଲେ, ଆଉ ଶେଷରେ ଏସଟିଏଫ ଟିମ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । କିଶୋର କୁମାର ମିଶ୍ର ଘର ବ୍ରହ୍ମପୁର, ସେ କୋରାପୁଟ ନୀଳଚକ୍ର ନଗରରେ ରହୁଥିଲା । କିନ୍ତୁ ଭୁବନେଶ୍ବରରେ ଠକାମିର ଜାଲ ବିଛାଇଥିଲା । ଅଧିକାଂଶ ସରକାରୀ ତଳ ସ୍ତରର କର୍ମଚାରୀଙ୍କୁ ଉପର ଅଫିସର ସହ ଭଲ ସମ୍ପର୍କ ଥିବା କହି କେତେବେଳେ କାହାକୁ ଟ୍ରାନ୍ସଫର୍ ତ ଆଉ କେତେବେଳେ ଚାକିରି ଦେବାର ଲୋଭ ଦେଇ ଟଙ୍କା ଠକୁଥିଲା ଠକ । ଏପରିକି ଅଧିକାଂଶ ମଦ ମାଫିଆ ଓ କ୍ରସର ମାଫିଆଙ୍କୁ ଲାଇସେନ୍ସ କରାଇଦେବାର ଲୋଭ ଦେଇ ସେମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା ।
ଚାକିରି ଆଶାରେ କୋରାପୁଟରୁ ଲୋକଙ୍କୁ ଭୁବନେଶ୍ବର ଆଣି ବିଭିନ୍ନ ଅଫିସରଙ୍କ ସହ ଭେଟ କରାଇଦେବାର ଲୋଭ ଦେଖାଉଥିଲା । ମୋବାଇଲରେ ଯୋଗାଯୋଗ ପାଇଁ ନମ୍ବର ଦେଇ କଥା ହେବା ଆଳ ଦେଖାଇ ଠକାମି କରୁଥିଲା । କିଶୋର ଆକାଉଣ୍ଟରେ ପାଖାପାଖି 2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରଖିଛି ଏସଟିଏଫ ଟିମ୍।
ଇଟିଭି ଭାରତ, ଭୁବନେଶ୍ବର