ଭୁବନେଶ୍ବର: ନୀତିଗତ ନିଷ୍ପତ୍ତି ନିମନ୍ତେ ତଥ୍ୟର ଉପଯୋଗ ଏବଂ ଏହି ଆଧାରରେ ପ୍ରମାଣ ଭିତ୍ତିକ ଗବେଷଣାକୁ ଆଗେଇ ନେବା ପାଇଁ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ ଚିକାଗୋ ଟ୍ରଷ୍ଟ ବିଶ୍ବବିଦ୍ୟାଳୟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଏବଂ ଚିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି ।
ନୀତିଗତ ନିଷ୍ପତ୍ତିକୁ ତ୍ବରାନ୍ବିତ କରିବା ସହ ଅଭିନବୀକରଣକୁ ଆଗେଇ ନେବା ନିମନ୍ତେ ତଥ୍ୟର ବ୍ୟବହାର ପାଇଁ ଓଡ଼ିଶା ସରକାର ୟୁସିଟି ସହ ପାଞ୍ଚ ବର୍ଷିଆ ସହଭାଗିତା କରିଛନ୍ତି । ଏହି କ୍ରମରେ ଭୁବନେଶ୍ବରରେ ଏକ ଡାଟା, ପଲିସି ଆଣ୍ଡ ଇନୋଭେସନ ସେଣ୍ଟର ପାଇଁ ଅନୁଦାନ ଚୁକ୍ତିନାମା ସମ୍ପର୍କରେ ଘୋଷଣା କରାଯାଇଛି । ଶକ୍ତି, ପରିବେଶ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳ ଏବଂ ପରିମଳ କ୍ଷେତ୍ରରେ ପ୍ରମାଣ ଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବ । ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକରେ ତଥ୍ୟଭତ୍ତିକ ସୁଶାସନକୁ ସକ୍ଷମ କରିବ । ଏଥି ପାଇଁ ଏକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଡାଟା ଇଣ୍ଟରଫେସ ବିକଶିତ କରିବାକୁ ଚଳିତ ବର୍ଷ ଜାନୁଆରି ମାସରେ ଉଭୟ ପକ୍ଷ ମଧ୍ୟରେ ଡିପିଆଇସି ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
ଏହାବି ପଢନ୍ତୁ- କୋରାପୁଟରେ ସମ୍ଭ୍ରାନ୍ତ ସିବେଟ କ୍ୟାଟ କଫି, କପେ କଫିର ଦାମ ୩୫୦୦ ଟଙ୍କା
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପକ୍ରମରେ ବୈଷୟିକ ଜ୍ଞାନକୌଶଳର ବହୁଳ ଉପଯୋଗକୁ ଗୁରୁତ୍ବ ଦେଇଆସୁଛନ୍ତି । ଏହି ବୁଝାମଣା ରାଜ୍ୟ ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଶସ୍ଥ ଓ ସ୍ବଚ୍ଛ କରିବ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ପ୍ରତିବଦ୍ଧ ଏବଂ ଡିପିଆଇସି ପ୍ରତିଷ୍ଠା ଏହାର ପ୍ରମାଣ । ସାରା ବିଶ୍ୱର ବିଦ୍ୱାନ ଓ ଗବେଷକମାନେ ଓଡ଼ିଶାରେ ଗବେଷଣା କରି ସେମାନଙ୍କ ଅନୁସନ୍ଧାନକୁ ସମଗ୍ର ବିଶ୍ବରେ ପହଞ୍ଚାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହ ତଥ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ରାଜ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।
ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ କହିଛନ୍ତି ଯେ, ଅଭିନବ ଚିନ୍ତାଧାରାର ପରୀକ୍ଷଣ ପାଇଁ ତଥ୍ୟ ବ୍ୟବହାର କରିବାରେ ଓଡ଼ିଶା ସବୁବେଳେ ଆଗରେ ରହିଆସିଛି । ୫ ବର୍ଷ ପୂର୍ବେ ଆମେ ଓଡ଼ିଶା ସରକାରଙ୍କ ସହ ମିଶି ଶିଳ୍ପସମୂହ ପାଇଁ ଏକ ତଥ୍ୟ ଭିତ୍ତିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ତେଣୁ ଏହା ଏକ ପ୍ରକାରରେ ଆମ ପାଇଁ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ । ତଥ୍ୟ ଓ ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ଆହୁରି ଆଗକୁ ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ ।
ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ ଲର୍ଣ୍ଣିଂରେ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଏବଂ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରି ଏକ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବା ହେଉଛି ଡିପିଆଇସିର ଲକ୍ଷ୍ୟ । ଡିପିଆଇସିକୁ କାର୍ଯ୍ୟକ୍ଷମ କରିବାରେ ୟୁନିଭର୍ସିଟି ଅଫ ଚିକାଗୋର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଏବଂ ଏହାର ଅନ୍ୟାନ୍ୟ ଗବେଷଣା କେନ୍ଦ୍ର ସରକାରଙ୍କୁ ସହଯୋଗ କରୁଛନ୍ତି । ଏହି ସହଭାଗିତା ଏକ ବିସ୍ତୃତ ତ୍ରିମୁଖୀ ଆଭିମୁଖ୍ୟ ଗ୍ରହଣ କରିବ । ଯାହା କେବଳ ଗବେଷଣା ଉପରେ ଧ୍ୟାନ ଦେବ ନାହିଁ ବରଂ ତ୍ୱରିତ ନିଷ୍ପତ୍ତି ଗ୍ରହଣ ପାଇଁ ତଥ୍ୟର ବହୁଳ ଉପଯୋଗ । ରାଜ୍ୟ ସରକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦେବ ।
ଏହାବି ପଢନ୍ତୁ- ପୁଟିନଙ୍କୁ ହତ୍ୟା ଉଦ୍ୟମ ! ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନର ଦୁଇଟି ଡ୍ରୋନକୁ ଖସାଇଲା ମସ୍କୋ
ରାଜ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଫଳପ୍ରଦତା ବିଷୟରେ ଚିକାଗୋ ବିଶ୍ବବିଦ୍ୟାଳୟର ଗବେଷକମାନେ ସେମାନଙ୍କ ଅନୁଶୀଳନ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବେ । ଏତଦ ବ୍ୟତୀତ ରାଜ୍ୟ ସରକାରଙ୍କୁ ସହାୟତା ଦେବା ଲାଗି ଗବେଷକମାନେ ବୃହତ ସ୍ତରରେ ଅଭିନବ ଗବେଷଣା କ୍ଷେତ୍ରର ପ୍ରତିଷ୍ଠା ଏବଂ ତାହାର ଆକଳନ ମଧ୍ୟ କରିବେ । ଓଡ଼ିଶାରେ ହୋଇଥିବା ଗବେଷଣାରୁ ମିଳିଥିବା ଜ୍ଞାନକୁ ଏହି ଟିମ କେବଳ ରାଜ୍ୟ ଭିତରେ ନୁହେଁ ବରଂ ଭାରତର ଅନ୍ୟାନ୍ୟ ସ୍ଥାନରେ ବି ଉପଯୋଗ କରିବେ ।
ଓକାକରେ ହୋଇଥିବା ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ, ଓକାକର ଜେନେରାଲ ମ୍ୟାନେଜର ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ, ଅନୁ ଶାସନ ସଚିବ ବିନୋଦ ସାହୁ ତଥା ଚିକାଗୋ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର