ଭୁବନେଶ୍ବର: ରାଜ୍ୟପାଳଙ୍କ ଦ୍ୱାରା କିଟ କ୍ୟାମ୍ପସରେ କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ (CPR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି । କିଟ୍ ସହଯୋଗରେ ଶ୍ରୀ ଜଗନ୍ନାଥ ସର୍ଭିସ୍ ଫାଉଣ୍ଡେସନ୍ ଓ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆୟକର ବିଭାଗ ମୁଖ୍ୟ କମିଶନର କ୍ରୀଷ୍ଣ କିଶୋର ଜଷ୍ଠି, ସତ୍ୟ ସାଇ ଟ୍ରଷ୍ଟର ଆବାହକ ଅକ୍ଷୟ ପାଣି, ବିଶିଷ୍ଟ ରେସସାଇଟେସନ୍ ବିଶେଷଜ୍ଞ ତଥା ଓଡ଼ିଶା ସରକାରଙ୍କ ସିପିଆର ପରାମର୍ଶଦାତା ଡା. ଭେମୁରି ଏସ୍ ମୂର୍ତ୍ତି, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ନାଗରିକ ସେମାନଙ୍କୁ ତତ୍କ୍ଷଣାତ୍ କିଭଳି ସାହାଯ୍ୟ କରିପାରିବେ ସେ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଆଜି ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୫ଶହ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ୧୮ ମାସ ମଧ୍ୟରେ କିଟ୍ ଓ କିସ୍ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ । କିସରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ବିଶେଷ ସହାୟକ ହେବା ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ଜନଜାତି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି, ‘‘ପ୍ରକୃତିରେ ସବୁ ପ୍ରକାର ରୋଗର ନିରାକରଣ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଆମେ ପ୍ରକୃତିର ସୁରକ୍ଷା ପରିବର୍ତ୍ତେ ପ୍ରକୃତିର କ୍ଷତି କରିଚାଲିଛେ । ସେଥିପ୍ରତି ସଜାଗ ରହିବା ଉଚିତ ।’’
ଅନ୍ୟତମ ଅତିଥି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ‘‘ବର୍ତ୍ତମାନ ସମୟରେ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଆମେ ହାର୍ଟ ଆଟାକ୍ ଭଳି ରୋଗର ଶିକାର ହେଉଛେ । ଏଥିରୁ ବର୍ତ୍ତିବାକୁ ହେଲେ ଆମକୁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ। ସିପିଆର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସତ୍ୟସାଇ ସେବା ସଂଗଠନର ଏକ ଭଲ ପ୍ରୟାସ । ଏହି ପ୍ରଶିକ୍ଷଣ ନେଇଥିଲେ ଅନେକ ଲୋକଙ୍କୁ ହାର୍ଟ ଆଟାକ୍ ସମୟରେ ମୃତ୍ୟୁମୁଖରୁ ବଞ୍ଚାଇବାରେ ସହାୟକ ହୋଇପାରିବ। କିଟ୍ ଓ କିସ୍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯିବ । କିସ୍ର ଛାତ୍ରଛାତ୍ରୀମାନେ ଏହି ତାଲିମ ପାଇବା ପରେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ସିପିଆର ତାଲିମ ପ୍ରଦାନ କରିପାରିବେ । ଏହାଦ୍ୱାରା ଜନଜାତି ସମ୍ପ୍ରଦାୟ ଉପକୃତ ହୋଇପାରିବେ ।’’
ବିଶ୍ୱରେ ହୃଦରୋଗ ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡିଥାନ୍ତି । ବିଶେଷକରି ହୃଦଜନିତ ସମସ୍ୟାକୁ ଅଣଦେଖା କରିବା ଫଳରେ ହଠାତ୍ ହୃଦସ୍ପନ୍ଦନ ବନ୍ଦ ହୋଇଯିବା କିମ୍ବା କାର୍ଡିଆକ୍ ଆରେଷ୍ଟ ଯାହାକୁ ଆମେ ସାଧାରଣତଃ ହାର୍ଟ ଆଟାକ୍ ବୋଲି କହିଥାଉ । ବିଶେଷକରି ଭାରତୀୟମାନେ ଉଚ୍ଚ ରକ୍ତଚାପ, ଅଧିକ ଚର୍ବିଯୁକ୍ତ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ସର୍କରା, ବ୍ୟାୟାମର ଅଭାବ, ତମ୍ବାଖୁ ବ୍ୟବହାର, ଚାପ ଏବଂ ବଂଶଗତ ସମସ୍ୟା ଯୋଗୁଁ ହୃଦରୋଗର ଶିକାର ହୋଇଥାନ୍ତି। କାର୍ଡିଆକ୍ ଆରେଷ୍ଟର ଶିକାର ହେଉଥିବା ୯୦% ଲୋକଙ୍କୁ ତୁରନ୍ତ ଆପଦକାଳୀନ ସହାୟତା ଅଭାବ ଅର୍ଥାତ୍ ନିକଟରେ ଥିବା ବ୍ୟକ୍ତି କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ (ସିପିଆର) ସହାୟତା ଯୋଗାଇ ଦେଇପାରୁ ନଥିବାରୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ:-ନବଜାତକୁ ମା’ ଛେଉଣ୍ଡ କଲା ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଆଖି ବୁଜିଲେ ମହିଳା
କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ (ସିପିଆର) କୌଶଳ ଦ୍ୱାରା କାର୍ଡିଆକ୍ ଆରେଷ୍ଟ ସମୟରେ ରକ୍ତ ସଞ୍ଚାଳନ ଏବଂ ଚେଷ୍ଟ କମ୍ପ୍ରେସନ୍ ମାଧ୍ୟମରେ ହୃତ୍ପିଣ୍ଡର ପୁନଃଚଳନ କରାଯାଇଥାଏ। ଏହା ସାଧାରଣ ହୃତସ୍ପନ୍ଦନ ଫେରିବା ପର୍ଯ୍ୟନ୍ତ ଶରୀରର ବିଭିନ୍ନ ପ୍ରମୁଖ ଅଙ୍ଗକୁ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। କାର୍ଡିଆକ୍ ଆରେଷ୍ଟର ପ୍ରଥମ ୪ ରୁ ୫ ମିନିଟ୍ ମଧ୍ୟରେ ଜୀବନ ରକ୍ଷାରେ ସିପିଆର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଏକ ସ୍ୱୟଂଚାଳିତ ଏକ୍ସଟରନାଲ୍ ଡେଫିବ୍ରିଲାଟର୍ (ଏଇଡି) ବ୍ୟବହାର ସହ ସିପିଆର ଦ୍ୱାରା ହାର୍ଟ ଆଟାକ୍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବାର ସମ୍ଭାବନା ବୃଦ୍ଧି ପାଇଥାଏ । ୧୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯେ କୌଣସି ବ୍ୟକ୍ତିଙ୍କୁ ସାମାନ୍ୟ ତାଲିମ ସହ ଏଇଡିର ବ୍ୟବହାର ଏବଂ ସିପିଆର କୌଶଳ ସମ୍ପର୍କିତ ଜ୍ଞାନ ପ୍ରଦାନ କରାଯିବା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷାରେ ସହାୟକ ହୋଇପାରିବ ବୋଲି ଅତିଥିମାନେ କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର