ଭୁବନେଶ୍ବର: ସଜବାଜ ପହିଲି ରଜ ପରେ ଆଜି ଗଣପର୍ବ ରଜର ଦ୍ବିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନି ଦିନ ଧରି ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବର ଆଜି ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତିରେ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବିଭିନ୍ନ ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ପାଳୁଛନ୍ତି ରାଜ୍ୟବାସୀ ।
ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ । ପହିଲି ରଜରୁ ମନଭରି ଉପଭୋଗ କରିବା ପରେ ଆଜି ରଜ ସଂକ୍ରାନ୍ତି ପାଳନ କରୁଛନ୍ତି ଓଡିଶାବାସୀ । ପ୍ରଭାତରୁ ନିତ୍ୟକ୍ରମ ସାରି ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟରେ ବିଭିନ୍ନ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଭଗବାନଙ୍କୁ ଦର୍ଶନ ପରେ ଝିଅମାନେ ସମାନ ଭାବରେ ପହିଲି ରଜ ପରେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠାପଣା ଖାଇ ଦୋଳି ଖେଳି ଦ୍ବିତୀୟ ଦିନ ରଜକୁ ମଧ୍ୟ ପାଳନ କରିଛନ୍ତି ।
ପହିଲି ରଜ ମଉଜ ଜମିଥିଲା । ଗାଁ ଠୁ ସହର ସବୁଠି ପହିଲି ରଜକୁ ସଭିଏଁ ମନଭରି ଉପଭୋଗ କରିଥିଲେ । ଦୋଳି ଖେଳିବା ସହିତ ପୋଡ ପିଠା ଓ ରଜପାନ ମହକରେ ମହକି ଉଠିଥିଲା ଖଣ୍ଡ ମଣ୍ଡଳ । ରଜରେ କବାଡି କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଳି ଏକାଠୀ ହୋଇ ପହିଲି ରଜ ପାଳିଥିଲେ । ଆନନ୍ଦମୟ ମହୋତ୍ସବର ମଜା ଲୁଟିଥିଲେ ଓଡିଶାବାସୀ । ସେହିପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳନ କରିଛନ୍ତି ।
ଓଡିଶାର ଏହି ସଂସ୍କୃତି ପରମ୍ପରା ସମ୍ପର୍ଣ୍ଣ ପର୍ବରେ ଉତ୍ସବ ମୁଖରିତ ପୁରପଲ୍ଲୀ । ପହିଲି ରଜରେ ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ.... ଗୀତ ପବନରେ ଭାସି ଆସି ମନକୁ ଛୁଇଁଥିଲା । ଗାଁର ଗଳି କନ୍ଦିରେ ରଜ ଦୋଳି ସାଙ୍ଗକୁ ଛକ ଛକରେ ପାନ ପସରା ଆଉ ରଜ ପିଠା ବାସ୍ନାରେ ମହକି ଉଠିଥିଲା ଚର୍ତୁଦିଗ । ରଜ ଗୀତର ତାଳେ ତାଳ ଦୋଳି ଖେଳି ପରସ୍ପରକୁ ପାନ ଓ ପିଠା ଖୁଆଇ ପହିଲି ରଜକୁ ସଭିଏଁ ଉପଭୋଗ କରିଥିଲେ । ପ୍ରତିବର୍ଷ ଏହି ମହାନ ପର୍ବକୁ ଚାହିଁ ରହିଥାନ୍ତି ରାଜ୍ୟବାସୀ । ଜୁନ 14, 15 ଓ 16କୁ ଆନନ୍ଦ ଉଲ୍ଲାସର ସହ ପ୍ରତିଟି ଓଡିଆ ପାଳନ କରନ୍ତି ।
ଇଟିଭି ଭାରତ, ଭୁବନେଶ୍ବର