ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗ ଦେଇଛନ୍ତି । ରାଜ୍ୟ କ୍ୟାବିନେଟ ୮ ଟି ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ ମୋହର ମାରିଛନ୍ତି ।
ରାଜ୍ୟ କ୍ୟାବିନେଟ ଆଇନ ବିଭାଗର ଗୋଟିଏ, ଏମଏସଏମଇ ବିଭାଗର ଦୁଇଟି, ରାଜସ୍ବ ବିଭାଗର ଗୋଟିଏ, ଗଣଶିକ୍ଷା ବିଭାଗର ଗୋଟିଏ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଗୋଟିଏ, ଶିଳ୍ପ ବିଭାଗର ଦୁଇଟି, ପରିବହନ ବିଭାଗରର ଗୋଟିଏ ପ୍ରସ୍ତାବକୁ ମୋହର ମାରିଛି । ସେହିପରି ଗୋଟିଏ ଷୋଡ଼ଶ ବିଧାନସଭାର ୧୪ ତମ ଅଧିବେଶନ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ- Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ, ଶିଳ୍ପ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଭାବେ ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଭୁବନେଶ୍ବର, ଜଟଣୀ ତହସିଲ ଅଞ୍ଚଳରେ ଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଏସବୁ ଭୂମିହୀନ ପୁରୀ ପୌରସଂସ୍ଥା ଅଧୀନରେ ଲିଜ ସୂତ୍ରରେ ଜମି ପାଇଥିଲେ ।
ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର, ଲକ୍ଷ୍ମୀକୁ ସ୍ବୀକୃତି
ସେହିପରି ଚୌଦ୍ବାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦିଆଯିବ । ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଗ୍ରୀନ ସିଗ୍ନାଲ ଦେଇଛି । ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ସଂଶୋଧନ ହେବ । ଏଥି ସହ ଏମଏସଏମଇ ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ମଧ୍ୟ ସଂଶୋଧନ ହେବ । ଓଡ଼ିଶା ଜିଲ୍ଲା ଦେଓ୍ବାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ କରାଯିବ । ସେହିପରି ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଷୋଧ । ପରିବହନ ବିଭାଗର ଏ ନେଇ ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସ୍କ୍ରାପ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ । ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସ କୋହଳ ହେବ ବୋଲି ନିଷ୍ପତ୍ତି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର