ଭୁବନେଶ୍ବର: ନିଜ ସାଂସଦ ସଭ୍ୟ ପଦ ରଦ୍ଦକୁ ନେଇ ପ୍ରେସମିଟ କରି ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଅଭିଯୋଗର ତୁରନ୍ତ ଜବାବ ଦେଇଛି କେନ୍ଦ୍ରୀୟ ବିଜପି । ଏହାସହ ସାରା ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ବିଜେପି କଂଗ୍ରେସ ମୁହାଁମୁହଁ ହୋଇଛନ୍ତି ।
ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଓଡିଶା ବିଜେପି ମଧ୍ୟ ଦେଇଛି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ରାହୁଲ ଏବଂ ତାଙ୍କ ପରିବାର ଭାବୁଛନ୍ତି ସେମାନେ ସମ୍ବିଧାନର ଊର୍ଦ୍ଧ୍ବରେ । ଯାହା ନିୟମ ରହିଛି ତାହା କେବଳ ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ଦେଶରେ କଂଗ୍ରେସ ପ୍ରତ୍ୟାକ୍ଷିତ ହେବାର କାରଣ ହେଲା ଯେଉଁ ବର୍ଗକୁ ସେ ଭୋଟ ବ୍ୟାଙ୍କ ଆୟୁଧ କରିଥିଲା ସେହି ବର୍ଗକୁ କଂଗ୍ରେସ ଉପେକ୍ଷା କରୁଛି । ସଭ୍ୟ ପଦ ରଦ୍ଦ ପ୍ରସଙ୍ଗରେ ପ୍ରେସମିଟରେ ଆଜି ରାହୁଲ ରଖିଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ଏହି ରଦ୍ଦ ପ୍ରସଙ୍ଗରେ ବିଜେପିକୁ ଦୋଷ ଦେବାର କୌଣସି କାରଣ ହିଁ ନାହିଁ । କାରଣ ସମସ୍ତ ନିଷ୍ପତ୍ତି କୋର୍ଟର ।
ଗୋଟେ ନିର୍ଦ୍ଦିଷ୍ଟ ଜାତିକୁ ଅପମାନିତ କରି ତାକୁ ନିଚା ଦେଖାଇବାକୁ ଉଦ୍ୟମ କରିବାରୁ କୋର୍ଟ ତାଙ୍କୁ ଦଣ୍ଡିତ କରିଛି। ତଳ କୋର୍ଟ ଦେଇଥିବା ଆଦେଶକୁ ରାହୁଲ ଚ୍ୟାଲେଞ୍ଜ କରିପାରିଥାନ୍ତେ । ଏମିତି କି କ୍ଷମା ମଧ୍ୟ ମାଗିବାର ସୁଯୋଗ ଥିଲା । କିନ୍ତୁ ତାଙ୍କ ଅହଂଭାବ ତାଙ୍କୁ ଏଥିରୁ ବାରଣ କରିଛି । ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ଟାର୍ଗେଟ କରିବା ରାହୁଲଙ୍କର କୌଣସି ଅଧିକାର ନୁହଁ । ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ରାଜନେତା ଭାବରେ ସେ ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ ।
ଆଜି ରାହୁଲଙ୍କ ପ୍ରେସମିଟରୁ ପ୍ରମାଣିତ ହେଉଛି ସତରେ ରାହୁଲଙ୍କ ପାଇଁ କଂଗ୍ରେସ ଦଳ ଚିନ୍ତିତ ନୁହଁନ୍ତି । ଏହି ଘଟଣାରେ ଲୋକଙ୍କ ସମ୍ବେଦନାକୁ ହାତେଇବା ପାଇଁ କଂଗ୍ରେସ ଯୋଜନା କରୁଛି । ସବୁଠାରୁ ବଡ଼ କଥା ହେଲା କୌଣସି ନିର୍ବାଚିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ହେବା ଘଟଣା ଏହା ପ୍ରଥମ ନୁହେଁ । ପୂର୍ବରୁ ଅନେକ ନିର୍ବାଚିତ ପ୍ରତିନିଧିଙ୍କ ସଭ୍ୟପଦ ରଦ୍ଦ ହୋଇଛି । ବିଜେପିର ୬ ଜଣଙ୍କର ସଦସ୍ୟତା ରଦ୍ଦ ହୋଇଛି । ତେଣୁ କୋର୍ଟର ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଉପରେ ଲଦିବା ଦୁର୍ଭାଗ୍ୟଜନକ । ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ଓବିସି ମୋର୍ଚ୍ଚା ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର