ଭୁବନେଶ୍ବର: ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, 24 ବର୍ଷର ସରକାର ବ୍ୟାପକ ଘଟାଲାର ପର୍ଦ୍ଦାଫାସ କରିବା ଓ ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ଆରମ୍ଭ କରିଛି ଜନ ଆକ୍ରୋଶ ଆନ୍ଦୋଳନ । ଆନ୍ଦୋଳନ ସାରା ରାଜ୍ୟରେ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜେପି ଅଭିଯୋଗ କରିଛି ଯେ, ଦୀର୍ଘ 23 ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଜଣା ନାହିଁ । ବିଜେଡି ସରକାରରେ ଓଡ଼ିଆ ଲୋକମାନେ ନିର୍ଯାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ବର୍ଷକୁ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଥିବା ଏହି ସରକାର ଆଜି ଅଣଓଡ଼ିଆ ଅଫିସର, ଠିକାଦାର, ବ୍ୟବସାୟୀ ମଧୁଚନ୍ଦ୍ରିକାରେ ଲିପ୍ତ । ଲ’ଲେସନେସର ଶିକାର ହୋଇ ଏବେ ଶାନ୍ତିପ୍ରିୟ ଓଡ଼ିଶା ଏବେ ଅଶାନ୍ତ । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡ଼ିଆ ଲୋକମାନେ ଆଜି ଅଣନିଶ୍ବାସୀ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ସରକାର ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡି ନାହାଁନ୍ତି । ତାହାର ପ୍ରତିବାଦରେ ବିଜେପି ସାରା ରାଜ୍ୟରେ ବ୍ଲକ୍ ଘେରାଉ କରୁଛି । ଯାହାର ଜବାବ ରଖିଛି ଶାସକ ଦଳ ।
ଅଧିକ ପଢ଼ନ୍ତୁ- BMC ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର
ପ୍ରଶ୍ନ ଉଠୁଛି 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ଏହି ଜନଆକ୍ରୋଶ ସଫଳ ହେବ ତ ? କାରଣ ସାରା ରାଜ୍ୟରେ ମାଳମାଳ ଦୁର୍ନୀତିର ଅଭିଯୋଗରେ ଛନ୍ଦି ହୋଇଥିବା ନେତା ମନ୍ତ୍ରୀଙ୍କ ବିରୋଧର ଅଭିଯୋଗ ନକରି ପଞ୍ଚାୟତ ବ୍ଲକ ଘେରାଉ କରି ସିଧା ସଳଖ ବିଜେପି ଅଧିକାରୀଙ୍କ ବିରୋଧରେ ଏକପ୍ରକାର ଆନ୍ଦୋଳନ କରୁଛି । ବିଜେପିର ଏହି ରଣନୀତି ସଫଳ ହେବ କି ? ଦୁର୍ବଳ ବିଜେପି ସଂଗଠନକୁ ଏହା ଶକ୍ତି ଯୋଗାଇବି କି ? ରାଜ୍ୟ ସରକାରଙ୍କ ବିରୋଧରେ ପ୍ରକୃତରେ ବିଜେପି ଲଢ଼େଇ କରୁଛି କି ? ଏନେଇ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି, ଲୋକଙ୍କ ପ୍ରସଙ୍ଗ ଧରି ଆମେ ରାଜରାସ୍ତାକୁ ଓହ୍ଲାଇଛୁ । ଲୋକେ ଗ୍ରହଣ କରିବେ । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ତିଆରିରେ ବ୍ୟାପକ ଦୁର୍ନୀତି ହୋଇଛି । ବ୍ଲକ ସ୍ତରରେ ହୋଇଛି । ମନରେଗା ଯୋଜନାରେ 75 ପ୍ରତିଶତ ଅର୍ଥ ହରିଲୁଟ ହୋଇଛି । ଲୋକଙ୍କ ପାଖରେ କାମ ନାହିଁ କିମ୍ବା କାମ ଥିଲେ ଟଙ୍କା ପହଞ୍ଚି ପାରୁନାହିଁ । ପକ୍କା ଘର ଯୋଜନାରେ ଦଳୀୟ ଭିତ୍ତିରେ ବଣ୍ଟନ ଚାଲିଛି । କେନ୍ଦ୍ରର ଅର୍ଥ ହରିଲୁଟ୍ ଚାଲିଛି । ଲୋକଙ୍କ ସହିତ ଘଟୁଥିବା ଘଟଣାକୁ ସାମ୍ନାକୁ ଆଣି ବିଜେପି ଜନ ଆକ୍ରୋଶ ଆନ୍ଦୋଳନ କରୁଥିବାରୁ ଏହା ଲୋକଙ୍କୁ ଛୁଇଁବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ସେପଟେ ବିଜେପି ଜନଆକ୍ରୋଶର ଆନ୍ଦୋଳନର କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ଅମର କହିଛନ୍ତି‘‘ କହିବା ପାଇଁ ବିରୋଧୀ ଅନେକ କଥା କହୁଛନ୍ତି । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଓଡିଶା ଆଗରେ ରହିଛି । ଯଦି ନିର୍ଦିଷ୍ଟ ଭାବେ କୌଣସି ଅଭିଯୋଗ ଆସିବ, ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁର୍ନୀତିକୁ ନେଇ ନିର୍ଦିଷ୍ଟ ଅଭିଯୋଗ ହେବା ଦରକାର । ଅଭିଯୋଗ ଜେନେରାଲାଇସ କଲେ କଥାର ଗୁରୁତ୍ବ ରହୁନାହିଁ । ବିଭିନ୍ନ ଯୋଜନାକୁ ନେଇ ପଞ୍ଚାୟତ ଲୋକ ଉତ୍ସାହିତ ଅଛନ୍ତି । କାରଣ ଅଧିକ ଆର୍ଥିକ ସହାୟତା ମିଳିଛି । କେବଳ ସହାୟତା ନୁହେଁ, ଆର୍ଥିକ ସ୍ବାଧୀନତା ମଧ୍ୟ ମିଳିଛି । ସେ ଦୃଷ୍ଟିରୁ ପଞ୍ଚାୟତ ଅଧିବାସୀ ଖୁସି ଅଛନ୍ତି । ଯେଉଁମାନେ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଅସୁଖୀ ହେବା ସ୍ବାଭାବିକ ।’’ ଅନ୍ୟପଟେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ବିଜେପିର ଏହି ଜନ ଆକ୍ରୋଷ ଆନ୍ଦୋଳନରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଉନଥିବାରୁ ଏହା ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବ ନାହିଁ । 2024 ନିର୍ବାଚନରେ ବିଜେପିକୁ ଏହି ଜନ ଆକ୍ରୋଷ ଆନ୍ଦୋଳନରୁ କୌଣସି ସଫଳତା ମିଳିବ ନାହିଁ ।
ପୂର୍ବରୁ ରାଜ୍ୟ ବିଜେପି ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ପାଣି ଦୁର୍ନୀତି, ଜମି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛି । ସରକାରଙ୍କୁ ଚାପରେ ପକାଇବାରେ ସଫଳ ହୋଇଛି । ଏବେ କିନ୍ତୁ ବିଜେପିର ପ୍ରସଙ୍ଗ ବଦଳିଛି । ଆନ୍ଦୋଳନର ସ୍ତର ମଧ୍ୟ ବଦଳିଛି । ହେଲେ ଏହା ଦଳକୁ କେତେ ସହାୟକ ହେବ ତାହା ଅସ୍ପଷ୍ଟ । ଏହାସହ ବିଜେପି ଆଣିଥିବା ଅଭିଯୋଗକୁ ଏହି ଆନ୍ଦୋଳନରେ ସୀମିତ ରଖିଦେବ ନା ଏକ ନିର୍ଣ୍ଣାୟକ ମୁକାବିଲା ପର୍ଯ୍ୟନ୍ତ ନେଇପାରିବ ତାହାରି ଉପରେ ନଜର ।
ଇଟିଭି ଭାରତ, ଭୁବନେଶ୍ବର