ଭୁବନେଶ୍ବର: କାଳିଆ ଛାତ୍ରବୃତ୍ତିକୁ ସଂପ୍ରସାରିତ କରିଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ମିଳୁଥିବା ଛାତ୍ରବୃତ୍ତିକୁ ସଂଶୋଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସଂଶୋଧିତ କାଳିଆ ଛାତ୍ରବୃତ୍ତିର ନୂତନ ମାର୍ଗଦର୍ଶିକା ଆସିଛି । ଏଥିରେ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି ବୋଲି କହିଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ।
କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି । ଏହି ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି । ଆଜି ଏହାକୁ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ 'କାଳିଆ ଛାତ୍ରବୃତ୍ତି' ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର 'ଅଲ୍ ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ୍ କୋଡ୍' ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ, ୪୧୬୬ଜଣ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର
ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ସ୍ନାତକ ପାଠ୍ୟକ୍ରମ ସାମିଲ ଥିଲା । ଏଥିରେ ଏମ୍ବିବିଏସ୍, ବିଡିଏସ୍, ବିଏଚ୍ଏମ୍ଏସ୍, ବି-ଫାର୍ମା, ବି-ଏସ୍ସି (ନର୍ସିଂ), ପିବିବିଏସ୍ସି ନର୍ସିଂ, ବିଏସ୍ସି (ସମ୍ମାନ) କୃଷି, ବିଭିଏସ୍ସି ଏଣ୍ଡ ଏଏଚ୍, ବିଏସ୍ସି (ସମ୍ମାନ) ଉଦ୍ୟାନ କୃଷି, ବିଏସ୍ସି (ସମ୍ମାନ) ଫରେଷ୍ଟ୍ରି, ବିଏସ୍ସି (ଫିସରିଜ୍ ସାଇନ୍ସ), ବିଏସ୍ସି (କମ୍ୟୁନିଟି ସାଇନ୍ସ), ବି-ଟେକ୍ (ଏଗ୍ରି ଇଞ୍ଜିନିୟରିଂ), ବି-ଟେକ୍/ବି-ଇ ସାମିଲ ଥିଲା । ବର୍ତ୍ତମାନ ଏହାକୁ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯିବା ସହ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ଏହି ସ୍ତରର ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ।
ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍-ଟେକ୍, ଏମ୍-ଏସ୍ (ଏଗ୍ରି), ଏମ୍-ଏସ୍ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍ବିଏ, ଏମ୍ସିଏ, ଏମ୍-ଫାର୍ମ ଏବଂ ଏହି ସ୍ତରର ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି । ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇ ବର୍ଷ ଏବଂ ପିଏଚ୍ଡି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ । ପିଏଚ୍ଡି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମ ସଂପୃକ୍ତ ହୋଇଥିବା ଆବଶ୍ୟକ ଏବଂ ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ । ସେହିପରି ଡିପ୍ଲୋମା ପାଠ୍ୟକ୍ରମ ଡି-ଫାର୍ମ, ଡିଏମ୍ଏଲ୍ଟି, ଡିଏମ୍ଆର୍ଟି, ଅପଥାଲିମିକ୍ ଆସିଷ୍ଟାଣ୍ଟ/ସର୍ଜିକାଲ ଅପଥାଲିମିକ୍ ଆସିଷ୍ଟାଣ୍ଟ, ଜିଏନ୍ଏମ୍, ଏଏନ୍ଏମ୍, ସାଇକ୍-ରିୟାକ୍ଟିକ୍ ନର୍ସିଂ, ପଲିଟେକ୍ନିକ୍ ଏଣ୍ଡ ଏଗ୍ରି ପଲିଟେକ୍ନିକ୍ ଏବଂ ରାଜ୍ୟର ଆଇଟିଆଇର ବିଭିନ୍ନ ଟ୍ରେଡ୍ର ବିଦ୍ୟାର୍ଥୀମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ ।
ଇଟିଭି ଭାରତ, ଭୁବନେଶ୍ବର