ଖୋର୍ଦ୍ଧା: ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ର ଗୁଡିକ ମଧ୍ୟରୁ ଅଟ୍ରି ପର୍ଯ୍ୟଟନ କ୍ଷେତ୍ର ଅନ୍ୟତମ । ଦୀର୍ଘବର୍ଷ ହେବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ଏହାର ବିକାଶ କେବଳ କାଗଜ କଲମରେ ସୀମିତ ରହିଥିବା ଦେଖିବାକୁ ମିଳିଛି । ଏଥିପାଇଁ ରାଜନୈତିକ ଇଛା ଶକ୍ତି ଏବଂ ପ୍ରଶାସନିକସ୍ତରରେ ଆନ୍ତରିକତା ଅଭାବ ହେତୁ ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡିଛି ।
ବାବା ହଟକେଶ୍ୱର ଦେବଙ୍କ ପୀଠ ଠାରୁ ଅନତି ଦୂରରେ ରହିଛି ଉଷ୍ମପ୍ରସବଣ ବା କୁଆକୁଣ୍ଡ । ଏଠାରେ ବଣ ଭୋଜି, କୁଆ କୁଣ୍ଡରେ ସ୍ନାନ କରିବା, ମାନସିକ କୁଣ୍ଡ, ପାନ୍ଥ ଶାଳା,ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି ଏଠାରେ ଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ହେଲେ ଏହା ଏବେ ଅବହେଳିତ ହୋଇ ପଡିରହିଛି । ଲକ୍ଷାଧିକ ଟଙ୍କା ଚଳିତ ବର୍ଷ ବିନିଯୋଗ ହୋଇଥିଲେ ମଧ୍ୟ ପିଇବା ପାଣିର ସୁବିଧା ନାହିଁ। ସେହିପରି ଏଠାରେ ଥିବା ଶୌଚାଳୟ କାର୍ଯ୍ୟକ୍ଷମ ହୋଇନାହିଁ । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ପୀଠକୁ ସରସ ସୁନ୍ଦର କରିବା ପାଇଁ ଆଜି ପର୍ଯ୍ୟନ୍ତ ଆଲୋକିକରଣ ହୋଇପାରିନାହିଁ । ପିଲାଙ୍କ ମନୋରଞ୍ଜନ ଥିବା ୩ଟି ଦୋଳିରୁ ୨ନଷ୍ଟ ହୋଇଛି । ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ ପାନ୍ଥଶାଳା ହୋଇଛି । କିନ୍ତୁ ପାଣି ସମସ୍ୟା ଥିବାରୁ ଏହା କାମରେ ଲାଗୁନଥିବା ଅଭିଯୋଗ ହୋଇଛି ।
ସେହିଭଳି ଲକ୍ଷାଧିକ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ କର୍ମଚାରୀ ଅଭାବ ଆଳ ଦେଖାଇ ଖୋଲାଯାଉନାହିଁ । ସେହିପରି ଉଷ୍ମପ୍ରସବଣର ମୁଖ୍ୟକୁଣ୍ଡର ଲୁହାବାଡ଼ ଭାଙ୍ଗି ରୁଜିଯାଇଛି । ପର୍ଯ୍ୟଟକଙ୍କ ପାଇଁ ସୁବିଧା ନଥିବାରୁ ପର୍ଯ୍ୟଟକ ଏବେ ମୁହଁ ଫେରାଉ ଥିବା ଅଭିଯୋଗ କରିଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ । ସେପଟେ ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ଓ ଶୌଚାଳୟର ସମସ୍ୟା ଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମାନିଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା