ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ଇଡକୋ(IDCO) ପ୍ରଦର୍ଶନୀ ପଡିଆରେ ଉଦଘାଟନ ହୋଇଯାଇଛି ଜାତୀୟ ଜନଜାତି ଶିଳ୍ପ ମେଳା ଓ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ୨୦୨୪ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏହି ମେଳାର ଆୟୋଜନ କରିଥିବା ବେଳେ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗ କରିଛି । ଶୁକ୍ରବାରଠାରୁ ଏହି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ୧୧ ତାରିଖ ଯାଏଁ ଜନଜାତି ଶିଳ୍ପ ମେଳା ଓ ଆସନ୍ତା ୭ ତାରିଖ ଯାଏଁ ଜନଜାତି ନୃତ୍ୟ ମହୋତ୍ସବ ଚାଲିବ । ଏହି ଅବସରରେ ଏକ ସ୍ବତନ୍ତ୍ର କଫି ବୁକ ମଧ୍ୟ ଉନ୍ମୋଚନ କରାଯାଇଛି ।
ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଏହି ମହୋତ୍ସବ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସହଯୋଗରେ ଆୟୋଜନ କରାଯାଇଛି । କଳାପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହେବ । 12ଟି ରାଜ୍ୟର ଜନଜାତି କାରିଗର, ସେମାନଙ୍କର ପାରମ୍ପରିକ କଳାକୃତି ପ୍ରଦର୍ଶନ କରିବା ତଥା ସେମାନଙ୍କ ସାମଗ୍ରୀକୁ ଏକ ବଜାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ମେଳାରେ ଭାଗ ନେଇଛନ୍ତି । ଏହି ମେଳାରେ 70ଟି ଷ୍ଚଲ ଲାଗିଥିବା ବେଳେ 14ଟି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀ 3 ଦିନ ଧରି ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏହି ମେଳାରେ ଭାରତର ବିଭିନ୍ନ ରାଜ୍ୟରୁ ଜାତୀୟ ପୁରସ୍କାର ପ୍ରାପ୍ତ ଜନଜାତି ହସ୍ତତନ୍ତ ଶିଳ୍ପ କାରିଗରମାନେ ଅଂଶଗ୍ରହଣ କରିଛନ୍ତି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, "ବସ୍ତୁବାଦୀ ଦୁନିଆରୁ ବହୁଦୂରରେ ରହୁଥିବା ଜନଜାତି ସମ୍ପ୍ରଦାୟ ବର୍ତ୍ତମାନ ନିଜ ସଂସ୍କୃତିକୁ ନେଇ ପରିଚୟ ପାଇଛି । ଆଜିର ଡିଜିଟାଲ ଯୁଗରେ ଭାରତୀୟ ଜନଜାତି ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, କଳା, ଭିଜୁଆଲ ଆର୍ଟ୍ସ ଆଦିକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜାତୀୟ ମେଳାର ଆୟୋଜନ କରାଯାଇଛି । ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି । ପ୍ରାକୃତିକ ଉପାଦାନରୁ ନିର୍ମିତ ଶିଳ୍ପ ସାମଗ୍ରୀରେ ସୌନ୍ଦର୍ଯ୍ୟ ସମ୍ପର୍କରେ ଜାଣିବାକୁ ହେଲେ ଜନଜାତିଙ୍କ କଳାକୃତି ବିଷୟରେ ଜାଣିବାକୁ ପଡିବ ।"
ଅନ୍ୟପଟେ ବିଭାଗୀୟ ଶାସନ ସଚିବ କହିଛନ୍ତି, "ଏହା ବିବିଧତାର ଏକ ଉତ୍ସବ । ଏହି ବିବିଧତାକୁ ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ପ୍ରତ୍ୟେକ ଜନଜାତି ଶିଳ୍ପ ଏବଂ ନୃତ୍ୟ ସେମାନଙ୍କ ଜୀବନଶୈଳୀ, ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ବିଭିନ୍ନ ଜନଜାତି ସମ୍ପ୍ରଦାୟର ନୃତ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ସେମାନଙ୍କ ଭଗବାନଙ୍କ ପ୍ରତି ଥିବା ବିଶ୍ବାସକୁ ସୂଚିତ କରେ । ଜାତୀୟ ସ୍ତରରେ ଓଡିଶାର କାରିଗରମାନଙ୍କୁ ପହଞ୍ଚାଇବା ଓ ବଜାର ସୃଷ୍ଟି କରିବା ପାଇଁ ହେଲେ ଅନ୍ୟ ରାଜ୍ୟର ଜନଜାତି ସମ୍ପ୍ରଦାୟର ମିଶ୍ରଣର ଆବଶ୍ୟକତା ରହିଛି । ତେଣୁ, ଯଦି ସେମାନେ ବିଭିନ୍ନ ଶୈଳୀ ସହିତ ପରିଚିତ ହୁଅନ୍ତି, ତେବେ କଳାର ବ୍ୟାପକତା ବଢିବ ।"
ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଛି ମିସିମି ଜନଜାତିଙ୍କ ମକ୍ଟଳର ଲୋକନୃତ୍ୟ (ଅରୁଣାଚଳପ୍ରଦେଶ), କୁନବି ଜନଜାତିଙ୍କ କାହାଡିଆ ନୃତ୍ୟ (ଗୁଜୁରାଟ), ତ୍ରିପୁରୀ ଜନଜାତିଙ୍କ ଲେବାଙ୍ଗ ବୁମାନି ନୃତ୍ୟ (ତ୍ରିପୁରା), ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ (ମହାରାଷ୍ଟ୍ର), ଗଦବା ଜନଜାତିଙ୍କ ଢେମସା ନୃତ୍ୟ (ଓଡିଶା), ଭୂତିଆ ଜନଜାତିଙ୍କ ଶିୱାଲା ଖୁଙ୍ଗସାଙ୍ଗ ଥେନେପା ନୃତ୍ୟ (ସିକ୍କିମ), ଗୌଡା ଜନଜାତିଙ୍କ ଗଫ ନୃତ୍ୟ (ଗୋଆ), ଗଣ୍ଡ ଜନଜାତିଙ୍କ ଗଣ୍ଡି ନୃତ୍ୟ (ଉତ୍ତରପ୍ରଦେଶ) ।
ଦ୍ବିତୀୟ ସନ୍ଧ୍ୟାରେ ଥାରୁ ଜନଜାତିଙ୍କ ଝିଝି ନୃତ୍ୟ (ଉତ୍ତରାଖଣ୍ଡ), ବୋଡା ଜନଜାତିଙ୍କ ବାଗରୁମ୍ବା ନୃତ୍ୟ (ଆସାମ), ଧୂଳିଆ ଜନଜାତିଙ୍କ ଅଗବନି ନୃତ୍ୟ (ମଧ୍ୟପ୍ରଦେଶ), ଗଣ୍ଡ ଜନଜାତିଙ୍କ କାଜାରୀ ଲୋକନୃତ୍ୟ (ଉତ୍ତରପ୍ରଦେଶ), କନ୍ଧ ଜନଜାତିଙ୍କ ଘୁମୁରା ନୃତ୍ୟ (ଓଡିଶା), ମିଶମି ଜନଜାତିଙ୍କ ଦଳଗତ ନୃତ୍ୟ (ଅରୁଣାଚଳପ୍ରଦେଶ), ମୁଣ୍ଡା ଜନଜାତିଙ୍କ ଜାଦୁର ନୃତ୍ୟ (ଝାଡଖଣ୍ଡ), ବଗତା ଜନଜାତିଙ୍କ ଭିମସା କୁଣ୍ଡା ନୃତ୍ୟ (ଆନ୍ଧ୍ରପ୍ରଦେଶ), ଗଣ୍ଡ ଜନଜାତିଙ୍କ ହୁଲକି ନୃତ୍ୟ (ଛତିଶଗଡ) ।
ତୃତୀୟ ସନ୍ଧ୍ୟାରେ ଚୁନବୀ ଜନଜାତିଙ୍କ ଭାୟା ଡୁଙ୍ଗର୍ ଦେବ ନୃତ୍ୟ (ଗୁଜୁରାଟ), ଥାରୁ ଜନଜାତିଙ୍କ ହୋଲି ନୃତ୍ୟ (ଉତ୍ତରାଖଣ୍ଡ), ବୋଡୋ ଜନାଜାତିଙ୍କ ବାଗରୁମ୍ବା ନୃତ୍ୟ (ଆସାମ), ଭୂତିଆ ଜନାଜାତିଙ୍କ ନାଏ-ଲା-ଥାଙ୍ଗପୋ ନୃତ୍ୟ (ସିକ୍କିମ), ବିଂଝାଲ୍ ଜନଜାତିଙ୍କ ରସରକେଲି ନୃତ୍ୟ (ଓଡିଶା), ତ୍ରିପୁରୀ ଜନଜାତିଙ୍କ ମମିତା ନୃତ୍ୟ (ତ୍ରିପୁରା), ଗଣ୍ଡ ଜନଜାତିଙ୍କ ମାନ୍ଦାରି ନୃତ୍ୟ (ଛତିଶଗଡ), ମୁଣ୍ଡା ଜନଜାତିଙ୍କ ଜରାପି ନୃତ୍ୟ (ଝାଡଖଣ୍ଡ), ଗୌଡା ଜନଜାତିଙ୍କ ତାଲଗାଡି ନୃତ୍ୟ (ଗୋଆ ) । ଉଦଘାଟନୀ ସନ୍ଧ୍ୟାରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ସ୍ଵତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ ଓ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର