ଖୋର୍ଦ୍ଧା: ନଳକୂପ ଖନନକୁ ନେଇ ସରପଞ୍ଚଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ । ସେପଟେ ଆଦିବାସୀ ମହିଳା ୱାର୍ଡମେମ୍ବରଙ୍କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅଶ୍ଳୀଳ ଭାଷାରେ ଗାଳି ଦେବା ନେଇ ଥାନାରେ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତରେ । ଜିଲ୍ଲା ପରିଷଦ ସଭ୍ୟଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତ ଦିଗହରା ହେବାର ଆଶଙ୍କା କରି ଆଜି ଶତାଧିକ ଗ୍ରାମବାସୀ ଥାନା ଘେରାଉ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ଅନୁସାରେ ମାଣିବନ୍ଧ ସରପଞ୍ଚ ସୁନନ୍ଦା ବରାଳ ରାସ୍ତାରେ ଯାଉଥିବା ସମୟରେ କାଶିବନ୍ଧ ଗ୍ରାମର ବାନାମ୍ବର ଧଳ, ସୂର୍ଯ୍ୟକାନ୍ତ ଖୁଣ୍ଟିଆ ଓ ବୁଲା ଖୁଣ୍ଟିଆ ହଠାତ ତାଙ୍କ ଗାଡି ଆଗକୁ ଆସି ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ସେହି ପଞ୍ଚାୟତର ସାମନ୍ତରାପୁର ଆଦିବାସୀ ୱାର୍ଡମେମ୍ବର ସୁକୁଟି ନାୟକ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ କିଛି ସମର୍ଥକଙ୍କ ସହ ତାଙ୍କ ଘରେ ପଶିଥିଲେ । ୱାର୍ଡମେମ୍ବର ଓ ତାଙ୍କ ସ୍ବାମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ସରପଞ୍ଚଙ୍କ ଅଭିଯୋଗ ପରେ ଆଉ ଏକ ପାଲଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଉଭୟ ପକ୍ଷର ଅଭିଯୋଗ ରଖି ଦୁଇଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଇଟିଭି ଭାରତ, ଖୋର୍ଦ୍ଧା