ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏସଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ଓ ଓଏସଡମା, ୟୁନିସେଫ, ୟୁଏନଡିପି, ୟୁଏନଏଫପିଏ, ଏସଭି-ନିରତାର, ପ୍ରଦାନ, ଏଫଇଏସ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟରେ ଅଧିକରୁ ଅଧିକ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳି ସେମାନଙ୍କୁ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରିବା ହେଉଛି ବୁଝାମଣା ପତ୍ର ସ୍ୱାକ୍ଷରର ଉଦ୍ଦେଶ୍ୟ । ପୁନଶ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ ବ୍ୟବସ୍ଥାକୁ ସଶକ୍ତ କରି ଗ୍ରାମପଞ୍ଚାୟତ ଗୁଡିକ ଆଇଏସଓ ସାର୍ଟିଫିକେସନ ସ୍ୱୀକୃତି ପାଇବା ଦିଗରେ ସହାୟକ ହେବା । କାର୍ଯ୍ୟକ୍ରମରେ ଏସଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ପୁନଶ୍ଚ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାର ହାସଲ କରିଥିବା ଗତବର୍ଷର ସଫଳତା ଓ ଆଗାମୀ ଦିନର ପରିକଳ୍ପନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ତନ୍ମଧ୍ୟରେ ଜାତୀୟ ପଞ୍ଚାୟତ ପୁରସ୍କାରରେ ରାଜ୍ୟର ଅନନ୍ୟ ସଫଳତା, ସରକାରଙ୍କ ବିଭିନ୍ନ ଅଭିନବ ପ୍ରୟାସର ୫୪ଟି ଡକୁମେଣ୍ଟାରୀ ଫିଲ୍ମ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହେବା ଅନ୍ୟତମ ।
ତେବେ ଗ୍ରାମପଞ୍ଚାୟତ ପ୍ରଶାସନକୁ ପ୍ରଭାବଶାଳୀ କରିବା ପାଇଁ ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ଆଇଏସଓ ସାର୍ଟିଫିକେସନ, ପଞ୍ଚାୟତ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଦେଇଛନ୍ତି । ସେ ପୁନଶ୍ଚ ୧ ଲକ୍ଷରୁ ଊର୍ଦ୍ଧ୍ବ ଜନପ୍ରତିନିଧିଙ୍କୁ ସେମାନଙ୍କ ଦାୟିତ୍ୱ ଗ୍ରହଣର ୬ ମାସ ମଧ୍ୟରେ ଏସଆଇଆରଡି ଆଣ୍ଡ ପିଆର ଦ୍ୱାରା ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରଦାନକୁ ସଂପୂର୍ଣ୍ଣ କରାଯାଇଥିବାରୁ ଏହା ଆମ ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି । ଏସଆଇଆରଡି ଆଣ୍ଡ ପିଆର ସ୍ୱତନ୍ତ୍ର ପ୍ରଶିକ୍ଷଣ ରଣନୀତି ଆପଣାଇ ବିଭିନ୍ନ ବିଷୟ ଯଥା ଜାତୀୟ ପଞ୍ଚାୟତ ପୁରସ୍କାର, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ, ପିପୁଲ୍ସ ପ୍ଲାନ କ୍ୟାମ୍ପେନ ଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଯାଇଛି । ତେଣୁ ବର୍ତ୍ତମାନ ବିଭାଗ ଦ୍ୱାରା ଭିଲେଜ ୱାଟର ସାନିଟେସନ କମିଟି ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଏସଡିଜି ସମ୍ବଳିତ ୯ ଟି ପ୍ରଶିକ୍ଷଣ ପୁସ୍ତିକା, ଆଇଏସଓ ସାର୍ଟିଫିକେସନ ଓ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ମାର୍ଗଦର୍ଶିକା ଓ ନବ ନିଯୁକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗ୍ରାମପଞ୍ଚାୟତ ବିକାଶ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ପୁସ୍ତିକାର ଶୁଭ ଉନ୍ମୋଚନ ହୋଇଛି । ମନ୍ତ୍ରୀ ତାଙ୍କ ଅଭିଭାଷଣରେ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟ ନିମନ୍ତେ ସରକାରଙ୍କୁ ସହଯୋଗ କରିଥିବା ସମସ୍ତ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଇଛି । ୭୩ ତମ ସାମ୍ବିଧାନ ସଂଶୋଧନ ଜରିଆରେ ଗ୍ରାମାଞ୍ଚଳରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜକୁ ଆମ ସଂଘୀୟ ଶାସନ ବ୍ୟବସ୍ଥାରେ ସଂଯୋଗ କରି ଆମେ ସମଗ୍ର ବିଶ୍ୱରେ ଇତିହାସ ସୃଷ୍ଟି କରିଛୁ ବୋଲି ସେ ପ୍ରକାଶ କରିଛନ୍ତି । ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରମୁଖ ଅଂଶୀଦାର ଶିଶୁ ଓ ମହିଳାମାନଙ୍କ ସାମଗ୍ରୀକ ବିକାଶ ଲକ୍ଷ୍ୟରେ ଗ୍ରାମପଞ୍ଚାୟତ ସ୍ତରରେ ବାଲସଭା ଓ ମହିଳା ସଭା ପରି ଅଭିନବ ପ୍ରୟାସ ନିମନ୍ତେ ସରକାରଙ୍କ ଦ୍ୱାରା ପଦକ୍ଷେପ ନିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ........ରାଜ୍ୟ ସରକାରଙ୍କ ନଜରରେ ଯୁବପୀଢି, ଆରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଉପସ୍ଥିତ ଥିବା ୟୁନିସେଫର ମୁଖ୍ୟ ଫିଲଡ ଅଫିସର ୱିଲିୟମ ଜେ. ହାନଲୋନ, ୟୁଏନଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର, ୟୁଏନଏଫପିଏର ଓଡ଼ିଶା ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ ନୁର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା, ଏସଭିନିରତାରର ନିର୍ଦ୍ଦେଶକ ଡ. ପତିତପାବନ ମହାନ୍ତି, ଏଫଇଏସର ରାଜ୍ୟ ମୁଖ୍ୟ ମୀନା ଦାସ ମହାପାତ୍ର, ପ୍ରଦାନର ରାଜ୍ୟ ମୁଖ୍ୟ ଅଜିତ କୁମାର ନାୟକ ପ୍ରମୁଖ ରାଜ୍ୟରେ ଦକ୍ଷତା ବୃଦ୍ଧି ଜରିଆରେ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ସାମିଲ ହୋଇଥିବାରୁ କୃତଜ୍ଞତା ଜଣାଇ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଛନ୍ତି । ଏସଆଇଆରଡି ଆଣ୍ଡ ପିଆର୍ ଅତିରିକ୍ତ ନିର୍ଦ୍ଦେଶକ ଧରଣୀଧର ନନ୍ଦ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ବରିଷ୍ଠ ଅଧିକାରୀ ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର