ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମରେ ବୋମାମାଡ । ଗ୍ରାମର ଭାଗିରଥି ପାହାଡସିଂଙ୍କ ଘରେ ବୋମାମାଡ ହୋଇଛି (Miscreants Hurl Bomb At A House) । ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଜୋର ଜବରଦସ୍ତି ତାଙ୍କ ଘରେ ପଶି ୩ରୁ ୪ଟି ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏଥିରେ ଘରର କାଚ ସହ ୱାସିଂମେସିନ, କୁଲର ଭଳି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହିପରି ଦୁର୍ବୃତ୍ତମାନେ ଜଣେ ପରିବାର ସଦସ୍ୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଏନେଇ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଗକୁ ନୂଆବର୍ଷ ଆସୁଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସାଙ୍ଗସାଥୀ ମିଶି ଭୋଜିଭାତ କରୁଛନ୍ତି । ସେହିପରି ଗତକାଲି ସନ୍ଧ୍ୟାରେ ମଳିପଡା ଗ୍ରାମରେ ଥିବା ମା' ଭଗବତୀଙ୍କ ମନ୍ଦିର ଠାରେ ଏକ କଲେଜ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ଥିଲା । ସେହିଠାରେ ସ୍ଥାନୀୟ ଅଞ୍ଚଳର ଅନ୍ୟ କେତେକ ଯୁବକ ଭୋଜି କରୁଥିଲେ । ଏହି ସମୟରେ ସେହି ଯୁବକମାନେ ଭୋଜିସ୍ଥଳରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଭାଗିରଥୀ ସମ୍ପୃକ୍ତ ଯୁବକମାନଙ୍କୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ନୂଆବର୍ଷ ପାଇଁ ପ୍ରସ୍ତୁତି: ନଜର ଆସିବେ ଋଷିଆନ ବେଲି ଡ୍ୟାନ୍ସର, ମଦୁଆଙ୍କୁ ସାବାଡ଼ କରିବ ପୋଲିସ
ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଏହାପରେ ଭାଗିରଥୀ ଏହି ଆକ୍ରମଣ ସମ୍ପର୍କରେ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ସେହି ଯୁବକମାନଙ୍କ ମଧ୍ୟରୁ କିଛି ଜଣ ଗତକାଲି ସନ୍ଧ୍ୟାରେ ଭାଗିରଥୀଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ବୋମାମାଡ କରିଥିବା ଜଣାପଡିଛି । ଏଥିରେ ଘରର ସମସ୍ତ ଆସବାବପତ୍ର ଓ ବାଇକ୍ ଭାଙ୍ଗିରୁଜି ଯାଇଥିବା ସୂଚନା ମିଳିଛି । ଜଙ୍କିଆ ଥାନା ପୋଲିସ୍ ଘଟଣାସ୍ଥଳରୁ ଯାଇ ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଖୋର୍ଦ୍ଧା