ଭୁବନେଶ୍ବର: ଶିକ୍ଷକଙ୍କୁ ମହଙ୍ଗା ପଡିଲା ବିନି ଅନୁମତିରେ ବିଦ୍ୟାଳୟ ନଆସିବା । ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ ବର୍ଗର ୯୬ ଜଣ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।
ଡିସେମ୍ବର ୧୬ ଓ ୧୭ ତାରିଖ ସେଣ୍ଟ୍ରାଲ ଜୋନ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ କର୍ମଶାଳାର ସମୀକ୍ଷା ବୈଠକରେ ଆଲୋଚନା ଚାଲିଥିବା ବେଳେ ବହୁ ଶିକ୍ଷକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ସାମ୍ନାକୁ ଆସିଥିଲା । ତେଣୁ, ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ: ଆଇଜି ଓ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ
ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା 26 ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ 154 ଜଣ ପ୍ରାଥମିକ ଶିକ୍ଷକଙ୍କୁ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ଏଭଳି କାର୍ଯ୍ୟ କ୍ଷେତ୍ରରେ ଅବହେଳାକୁ ଉଚିତ ଦଣ୍ଡବିଧାନ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଛି ।
ଇଟିଭି ଭାରତ, ଭୁବନେଶ୍ବର