ଭୁବନେଶ୍ବର: ପୂର୍ବତଟ ରେଳପଥ(East Coast Railway)ର ରେଲୱେ ଟ୍ରାଫିକ ସର୍ଭିସ ଅଫିସର ମନୋଜ କୁମାର ମିଶ୍ର(Railway Traffic Service Officer Manoj Kumar Mishra) ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି । ମନୋଜଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିଛି । ମନୋଜ ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବୀରେ କାର୍ଯ୍ୟ ଜାରି ରଖିବେ ।
୧୯୯୯ ବ୍ୟାଚର ଆଇଆରଟିଏସ ଅଫିସର ମନୋଜ କୁମାର ମିଶ୍ର ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିଲେ । ମନୋଜ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଛନ୍ତି । ମନୋଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିଶନର, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ IT ସଚିବ ସହ ଓକାକ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ସେ ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ଗ୍ରହଣ କରାଯାଇଥିବା କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ- Hockey World Cup: ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ସମୀର ଦାସ
ମନୋଜ ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବୀରେ କାର୍ଯ୍ୟ ଜାରି ରଖିବେ । ରାଜ୍ୟ ସରକାରରେ ମନୋଜଙ୍କ ନିଯୁକ୍ତି ନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା । ଯଦି ମନୋଜ କେନ୍ଦ୍ର ସରକାରରୁ ଇସ୍ତଫା ଦିଅନ୍ତି, ତେବେ ସମାନ ପୋଷ୍ଟ ଓ ଦରମାରେ ରାଜ୍ୟ ସରକାର ନିଯୁକ୍ତି ଦେଇପାରିବେ । ଏହା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ପାୱାର କରିଡରରେ ପ୍ରଭାବଶାଳୀ ଅଫିସର ଭାବେ ଜଣାଶୁଣା ମନୋଜଙ୍କୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ କରିଥିଲେ ।
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମନୋଜଙ୍କର ଭୂମିକା ରହିଛି । ମନୋଜଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓଡିଶାର କୋଭିଡ ଡ୍ୟାସ ବୋର୍ଡ ପ୍ରସ୍ତୁତ ହୋଇଛି । ଯାହାକୁ ଦେଶର ବହୁ ରାଜ୍ୟ ସରକାର ପ୍ରଶଂସା କରିବା ସହ ଅନୁକରଣ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ପ୍ରସ୍ତୁତରେ ମନୋଜଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେହିପରି ସ୍ମାର୍ଟ ସ୍କୁଲ, ରାଜ୍ୟରେ ଟେଲି ଓ ପ୍ରଯୁକ୍ତି ବିଦ୍ୟା ଯୋଗାଯୋଗରେ ସେ ଅଗ୍ରଣୀ ଭୂମିକା ନେଇଛନ୍ତି । ନଗଦ ଯାଇଥିବା ରାଜ୍ୟ ସରକାରଙ୍କ ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨କୁ ସଫଳ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର