ଭୁବନେଶ୍ବର: ମହଙ୍ଗା ପଡିଲା ନକଲି ନୋଟ ଅଦଳବଦଳ । ଆରବିଆଇ ହାତରେ ଫସିଗଲେ ଯୁବକ । ଆରବିଆଇ ଅଫିସରେ ନକଲି ନୋଟ୍ ବଦଳାଇ ଅସଲି ନୋଟ ନେବାକୁ ଚେଷ୍ଟା କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଆରବିଆଇ କାର୍ଯ୍ୟାଳୟରେ । ଜଣେ ଯୁବକ ୫ଟି ୧୦୦ ଟଙ୍କିଆ ନକଲି ନୋଟ ବଦଳାଇବା ବେଳେ ଧରାପଡିଛନ୍ତି । ନୋଟ ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୫ଟି ୧୦୦ ଟଙ୍କିଆ ଜାଲ ନୋଟ୍ ଜବତ କରାଯାଇଛି । ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଅଞ୍ଚଳର ବିକାଶ ବଳିୟାର ସିଂ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ଶୁକ୍ରବାର ବିକାଶ ବଳିଆର ସିଂ ଆରବିଆଇ ଅଫିସ୍ ଆସିଥିଲେ । ୫ଟି ୧୦୦ ଟଙ୍କିଆ ନୋଟ ବଦଳି ପାଇଁ ଟୋକନ ନେଇଥିଲେ । ଏହାପରେ ଲାଇନରେ ଛିଡା ହୋଇ ଟଙ୍କା ବଦଳାଇବା ପାଇଁ ଅପେକ୍ଷା କରିଥିଲେ । ସେ କାଉଣ୍ଟରକୁ ଯାଇ ୧୦୦ ଟଙ୍କିଆ ନୋଟ ବଦଳାଉଥିବା ବେଳେ ଆରବିଆଇ ଅଫିସରଙ୍କର ସନ୍ଦେହ ହୋଇଥିଲା । ତାହା ନକଲି ନୋଟ ହୋଇଥିବା ସନ୍ଦେହ କରି ମେସିନରେ ଯାଞ୍ଚ କରିଥିଲେ । ଯାହାପରେ ସବୁଯାକ ନୋଟ ନକଲି ବୋଲି ଜଣାପଡିଥିଲା ।
ଏ ସମ୍ପର୍କରେ ଆରବିଆଇ ଅଫିସର ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ନକଲି ନୋଟ ଗୁଡିକୁ ଜବତ କରିଛି । ଖାରବେଳ ନଗର ଥାନାରେ ଆଇପିସିର ଧାରା 498(A)498(B),498(C)ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ କାହା ନିକଟରୁ ୫ କିମ୍ବା ୫ରୁ ଅଧିକ ନକଲି ନୋଟ ଜବତ ହେଲେ ତାଙ୍କୁ ଗିରଫ କରାଯିବା ନେଇ ଆରବିଆଇର ନିୟମ ରହିଛି ।
ଏହାମଧ୍ୟ ପଢନ୍ତୁ: ବଲାଙ୍ଗୀର ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ମର୍ଡର ପଛରେ ପ୍ରେମିକ
ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା ସମୟରେ ସେ ନୋଟ ଗୁଡିକ ବ୍ରହ୍ମପୁର ବସଷ୍ଟାଣ୍ଡରେ ଥିବା ଏକ ଚା' ଦୋକାନରୁ ଆଣିଥିବା କହିଛନ୍ତି । ବ୍ରହ୍ମପୁରରେ ନକଲି ନୋଟ କାରବାର ସମ୍ପର୍କରେ ଜଣାପଡିବା ପରେ ପୋଲିସ ସେହି ଚା' ଦୋକାନ ଉପରେ ନଜର ରଖିଛି । ଚା' ଦୋକାନୀ ପାଖରୁ କେଉଁଠୁ ନକଲି ନୋଟ ଆସିଲା ? ଏହା ପଛରେ କୌଣସି ରାକେଟ କାମ କରୁଛି କି ? ଏ ଯାଏଁ କେତେ ନୋଟ କାରବାର ହୋଇଛି ଏବଂ ଧରାପଡିଥିବା ଯୁବକ ଜାଣତରେ ନା ଅଜାଣତରେ ନକଲି ନୋଟ ବଦଳାଇବାକୁ ଆସିଥିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର