ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣାଯାଇଥାଏ । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ବିଶେଷ ଭାବେ ଏହା ହିନ୍ଦୁମାନଙ୍କ ଦ୍ୱାରା ପିତୃ ପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ କରାଯାଇ ଥାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁମାନେ ଶ୍ରାଦ୍ଧ ଦେଇ ପାରିନଥିବେ ପବିତ୍ର ମହାଳୟା ଅର୍ଥାତ ଆଜି ଦିନରେ ତିଳତର୍ପଣ କରିଥାନ୍ତି । ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପବିତ୍ର ବିନ୍ଦୁ ସାଗର କୂଳରେ କରାଯାଉଛି ତିଳତର୍ପଣ ।
ରାଜ୍ୟର ବିଭିନ୍ନ କୋଣ ଅନୁକୋଣରରୁ ଲୋକମାନେ ଆସି ପୁରୁଣା ଭୁବନେଶ୍ୱରରେ ଥିବା ପବିତ୍ର ବିନ୍ଦୁ ସାଗର କୂଳରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଛନ୍ତି । ଏହାକୁ ନେଇ ବିନ୍ଦୁ ସାଗର କୂଳରେ ଆତ୍ମୀୟ ସ୍ବଜନଙ୍କ ଭିଡ ଲାଗିଥିବା ବେଳେ ବ୍ରାହ୍ମଣ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ପୁରା ଏକାମ୍ର କ୍ଷେତ୍ର । କାରଣ ଏହି କ୍ଷେତ୍ରଟି ଦେବ ଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ଆରାଧ୍ୟ କ୍ଷେତ୍ର ହୋଇଥିବା ବେଳେ ଏହି କ୍ଷେତ୍ରଟିକୁ ପବିତ୍ର ଓ ସୁଦ୍ଧା ମନାଯାଇଥାଏ । ତେଣୁ ବିନ୍ଦୁ ସାଗରର ପବିତ୍ର ତଟରେ ବସି ଆତ୍ମୀୟ ସ୍ୱଜନମାନେ ସେମାନଙ୍କ ପୂର୍ବ ପୁରୁଷଙ୍କ ଶ୍ରାଦ୍ଧ ଦେଇ ମୋକ୍ଷ ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ ସ୍ବତନ୍ତ୍ର ମହାଳୟା, ପିତୃପୁରୁଷଙ୍କ ସହ ବୀର ଯବାନଙ୍କ ଲାଗି ପିଣ୍ତଦାନ
ପିତୃପକ୍ଷରେ ବିଶେଷକରି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି । ତେଣୁ ବିନ୍ଦୁ ସାଗର କୂଳରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହାସହ ପିତୃପକ୍ଷରେ ଦେବତାମାନେ ମଧ୍ୟ ପିଣ୍ତଦାନ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଦେବା ଦେବୀମାନେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।
ଏହା ସହ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଦୁରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଥିଲେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିରଜା ମନ୍ଦିରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଇଟିଭି ଭାରତ,ଭୁବନେଶ୍ୱର