ଖୋର୍ଦ୍ଧା: କୋରୋନା ଲକଡାଉନ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବେଗୁନିଆ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ଦେଶୀ ମଦ ବେପାରୀଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରୁଛି ବେଗୁନିଆ ପୋଲିସ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ହଡାବନ୍ଧ କାଜୁ ଜଙ୍ଗଲରେ ମଦ ରନ୍ଧା ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ବେଗୁନିଆ ଥାନା ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ କରିଥିଲା । ପୋଲିସ ଚଢ଼ାଉ ଖବର ପାଇ ମଦ ବ୍ୟବସାୟୀ ମାନେ ଖସି ଯାଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଦେଢ଼ ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ଜବତ କରି ନଷ୍ଟ କରିଛି । ଏହା ସହ 30 ଲିଟର ଦେଶୀ ମଦ ଜବତ କରିଛନ୍ତି । ସେହିଭଳି ଗତକାଲି ବେଗୁନିଆ ପୋଲିସ ପକ୍ଷରୁ କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ାଉ କରି ହଜାରେ ଲିଟର ପୋଚ ନଷ୍ଟ କରି ଜଣକୁ ଗିରଫ କରିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ