ଖୋର୍ଦ୍ଧା: ଆଜି କୁମାର ପୂର୍ଣ୍ଣିମା । ‘କୁଆଁର ପୂନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ’ ସଙ୍ଗୀତ ଗାଁରୁ ସହର ସବୁଠି ଶୁଭେ । ପ୍ରତିବର୍ଷ ଅନେକ ଅନୁଷ୍ଠାନ ‘କୁଆଁର ପୂନେଇଁ ମହୋତ୍ସବ’ ପାଳନ କରାଯାଉଥିବାବେଳେ ଚଳିତବର୍ଷ କିନ୍ତୁ କୋରୋନା ମହାମାରୀ ଯୋଗୁ ସାମୂହିକ ମହୋତ୍ସବ ପାଳନ କରାଯାଇ ନାହିଁ । କେବଳ କୋଭିଡ କଟକଣା ମଧ୍ୟରେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି କୁମାରୀ ।
ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପୂଜା ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ସେହିପରି ଆସନ୍ତାକାଲି ଠାରୁ କାର୍ତିକ ବ୍ରତ ପାଳନ କରାଯିବ । ସୁନ୍ଦର ବରପ୍ରାପ୍ତି ପାଇଁ କନ୍ୟାମାନେ ଏହି ପୂଜା କରିବାର ବିଶ୍ବାସ ରହିଛି ।
ପରମ୍ପରା ଅନୁସାରେ, ପାହାନ୍ତାରେ ଚାନ୍ଦକୁ ଆଞ୍ଜୁଳୀ ଟେକି ବ୍ରତ ଆରମ୍ଭ କରି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ ପରେ ବ୍ରତଧାରୀ କୁମାରୀ କନ୍ୟା ବ୍ରତ ଭାଙ୍ଗିଛନ୍ତି । କୁମାର ପୂର୍ଣ୍ଣିମା ପାଇଁ ନୂଆ ପୋଷାକ ଓ ଆଞ୍ଜୁଳି ଚାଙ୍ଗୁଡ଼ା ସଜାଡ଼ିବା ପାଇଁ ତାଳଗୋଟମା, ଖଟାକମଳା, କଞ୍ଚାଗୁଆ, କଷି ଜହ୍ନି,ଭେଣ୍ଡି, ଜହ୍ନିଫୁଲ, ଖଇ, କଉଡ଼ି, ଆଖୁ, କଇଁଥ, କଦଳୀ, ନଡ଼ିଆ ଓ ନୂଆ କୁଲେଇ ପ୍ରଭୃତି କିଣି ପୂଜାର୍ଚ୍ଚନା କରିଛନ୍ତି କୁମାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ