ଭୁବନେଶ୍ବର: ସ୍କୁଲ ଛାତ୍ରୀଙ୍କୁ ମାଗଣା ଏବଂ ଗାଁ କିଶୋରୀମାନଙ୍କୁ ସ୍ବଳ୍ପ ମୂଲ୍ୟରେ ସାନିଟାରୀ ନାପକିନ ଯୋଗାଇ ଦେବା ଲାଗି ସରକାର ଖୁସି ଯୋଜନା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ରାଜ୍ୟ ସାରା ଅବ୍ୟବସ୍ଥା ଦେଖାଦେଇଛି । ଏନେଇ ପ୍ରତିକ୍ରିୟା ରଖି ରମାଦେବୀ ଜୁନିୟର କଲେଜର ଅଧ୍ୟକ୍ଷା ଡ଼ ଉର୍ମିଳା ଦାସ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁଁ ଏହି ଯୋଜନାରେ ଅନିୟମିତତା ଦେଖାଦେଇଛି । ଏହି ଯୋଜନା ଯେହେତୁ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ, ଏଣୁ ଏହି ଯୋଜନାକୁ ବିଫଳ ବୋଲି କହିଛନ୍ତି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ।
କିଶୋରୀ ଏବଂ ସ୍କୁଲ ଛାତ୍ରୀମାନଙ୍କ ଲାଗି ଆସିଥିବା ନାପକିନ କେଉଁଠି ବଣ୍ଟା ଯାଉନଥିବା ବେଳେ ଆଉ କେଉଁଠି ଖତ ଖାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ସାନିଟାରି ନାପକିନ ପଡି ଖତ ଖାଉଥିବା ବେଳେ କିଶୋରୀମାନେ ବାହାରୁ ନାପକିନ କିଣୁଛନ୍ତି । ସରକାରଙ୍କ ଦ୍ବାରା ୨୦୧୮ ମସିହାରେ ଛାତ୍ରୀ ଓ ଗାଁ କିଶୋରୀମାନଙ୍କୁ ସାନିଟାରୀ ନାପକିନ ଯୋଗାଇ ଦେବା ଲାଗି ଖୁସି ଯୋଜନା ଆରମ୍ଭ କରିଥିଲେ। ଏଥିରେ ୫ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ । ଟେଣ୍ଡର ମୂଲ୍ୟାୟନ କମିଟି ବୈଷୟିକ ବିଡକୁ ଯାଞ୍ଚ କରି ଆବଶ୍ୟକ କାଗଜପତ୍ର ଅଭାବରୁ ୩ଟି ସଂସ୍ଥାକୁ ବାଦ କରିଥିଲେ । ବାକି ୨ଟି କମ୍ପାନୀ ନାପକିନ ପ୍ରତି ୟୁନିଟ ପିଛା ୨.୯୭ ଟଙ୍କା ଦେଇଥିଲେ ।
ପରେ ଏହାକୁ ପୁନଃ ଟେଣ୍ଡର କରି ୨.୩୦ ଟଙ୍କାରେ ଯୋଗାଣ ଲାଗି ଅନୁମତି ଦେଇଥିଲେ । ଷଷ୍ଠରୁ ଦଶମ ଛାତ୍ରୀଙ୍କ ଲାଗି ମାଗଣା ଏବଂ ଗାଁ କିଶୋରୀଙ୍କ ଲାଗି ୫ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଥିଲା । ଏନେଇ ସରକାରଙ୍କ ପକ୍ଷରୁ ସଚେତନାତା ସୃଷ୍ଟି କରିବା ଲାଗି ପ୍ରତି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତି ଜିଲ୍ଲାର ବ୍ଲକରେ ଏକ ଷ୍ଟୋରେଜ ପଏଣ୍ଟ ମଧ୍ୟ କରାଯାଇଥିଲା । ୨ରୁ ୩ ମାସ ଲାଗି ପ୍ରତି ଛାତ୍ରୀଙ୍କୁ ୩ଟି ସାନିଟାରୀ ପ୍ୟାକେଟ (୫୪ଟି ନାପକିନ) ପ୍ରଦାନ କରାଯାଉଥିଲା । ହେଲେ ଯୋଜନାର ଏବେ ଅବ୍ୟବସ୍ଥା ଦେଖାଦେଇଛି । କେଉଁ ସ୍କୁଲକୁ ଦିଆଯାଉଛି ତ ଆଉ କେଉଁ ସ୍କୁଲକୁ ଦିଆଯାଉନାହିଁ ।
ଗତ କିଛି ମାସରେ ରାଜଧାନୀ ଭୁବନେଶ୍ବର ବିଭିନ୍ନ ସ୍କୁଲର କଥା ଦେଖାଯାଏ ତେବେ ୧୭ହଜାର ୯୨୨ଜଣ ଛାତ୍ରୀଙ୍କୁ ୯ଲକ୍ଷ ୬୭ ହଜାର ୭୮୮ ଟି ସାନିଟାରି ନାପକିନ ଦିଆଯାଇଛି । କୋରୋନା କାଳରେ ଜିଲ୍ଲାର ଅଧିକାଂଶ ଛାତ୍ରୀମାନଙ୍କୁ ମିଳିନଥିଲା । ସେହିପରି ବାଲେଶ୍ବର ଜିଲ୍ଲାରେ ଯୋଜନାର ୨ବର୍ଷ ମଧ୍ୟରେ ୧୬ ଶହ ୫୫ ଜଣ ଛାତ୍ରୀଙ୍କୁ ୮ଲକ୍ଷ ୬୬ହଜାର ୯୭୦ଟି ସାନିଟାରୀ ନାପକିନ ମିଳିଛି । ଢେଙ୍କାନାଳ ଜିଲ୍ଲାରେ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ମୋଟ ୧କୋଟି ୨୩ଲକ୍ଷ ୩ହଜାର ୮୯୮ ଖଣ୍ଡ ନାପକିନ ଯୋଗାଣ ହୋଇଥିବା ବେଳେ ୧ କୋଟି ୪୮ ହଜାର ୨୨୨ଟି ବଣ୍ଟନ କରାଯାଇଛି ।
ଏହା ବି ପଢନ୍ତୁ- ଧଳା କାର ଖୋଲିବ କି ହତ୍ୟାକାଣ୍ଡର ରହସ୍ୟ, କୋଇଲା ମାଫିଆଙ୍କ ସହିତ ଗୋପାଳର ଲିଙ୍କ ନେଇ ଚର୍ଚ୍ଚା
ସେଥିମଧ୍ୟରୁ ୨୨ଲକ୍ଷ ୫୫ ହଜାର ୬୭୬ଖଣ୍ଡର ହିସାବ କାହାରି ପାଖରେ ନାହିଁ । ସେହିପରି ସମ୍ବଲପୁର ଜିଲ୍ଲାରେ ୫୬ ହଜାର ୩୦୦ ଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ କୋରୋନା କାଳରେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିଲା । ୨୦୨୨ ମସିହା ଏପ୍ରିଲ ମାସଠାରୁ ଏହା ବ୍ୟାପକ ରୂପେ ଅନିୟମିତତା ଦେଖାଦେଇଛି । ଛାତ୍ରୀଙ୍କୁ ମାସିକ ୬ ଦିନ ଲାଗି ୧୮ଟି ପ୍ୟାକେଟର ନିୟମ ହୋଇଥିଲା । ତେବେ ୩ମାସ ବଦଳରେ ୫ରୁ ୬ ମାସ ମଧ୍ୟରେ କେଉଁଠି ୧୮ଟି ତ ଆଉ କେଉଁଠି ୩୬ଟି ନାପକିନ ଦିଆଯାଇଛି । ତେବେ ଏନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମର ଜଣେ ଅଧିକାରୀ କହିଛନ୍ତି, "ରାଜ୍ୟରେ ୧୬ ଲକ୍ଷ ୯୮ ହଜାର ୩୬୬ ଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ।
ସେମାନଙ୍କୁ ପ୍ରତି ବର୍ଷ ୯ କୋଟି ୧୭ ଲକ୍ଷ ୧୧ ହଜାର ୭୬୪ ଖଣ୍ଡ ନାପକିନ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହେଲେ କୌଣସି ସ୍ଥାନରେ ଅନିୟମିତତା ଦେଖା ଦେଇନାହିଁ ।" ଅନ୍ୟପକ୍ଷେ ରମାଦେବୀ ଜୁନିୟର କଲେଜର ଅଧକ୍ଷ ଡ଼ ଉର୍ମିଳା ଦାସ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଭଲ କାର୍ଯ୍ୟକ୍ରମ ଥିଲା । କୋରୋନା ଆସିଯିବାରୁ ଏହି ଯୋଜନା ଅନିୟମିତତା ହୋଇଗଲା । ଅନ୍ୟପଟେ ଜଣେ ଶିକ୍ଷ୍ୟା ଅଧିକାରୀ କହିଛନ୍ତି, " ଏବେ ବହୁ ସମୟରେ ବିଭିନ୍ନ ବିଦ୍ୟାଳୟରେ ନାପକିନ ଦିଆଯାଉନାହିଁ । ବିଭିନ୍ନ ସମୟରେ ଷ୍ଟୋରେଜ ପଏଣ୍ଟରୁ ସ୍କୁଲମାନଙ୍କୁ ଠିକ ସମୟରେ ଦିଆଯାଉନାହିଁ ।
ବହୁ ସିଏଚସିରେ ଏହି ସାନିଟାରୀ ନାପକିନ ପଡି ଖତ ଖାଉଛି । ସରକାର ଯୋଜନା କରୁଛନ୍ତି । କିନ୍ତୁ ତାହା ଉପଯୁତ୍କ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ।" ସୂଚନା ଥାଉ କି ୨୦୧୮ ମସିହାରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡ୍ମ୍ୟାନ୍’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଋତୁସ୍ରାବ ସମୟର ସ୍ଵଚ୍ଛତା ବିଷୟରେ ଦର୍ଶକଙ୍କୁ ସଚେତନ କରିଥିଲେ ଖିଲାଡି କୁମାର। ଅକ୍ଷୟଙ୍କ ଏହି ଫିଲ୍ମ ଦ୍ଵାରା ପ୍ରଭାବିତ ହୋଇ ବିଭିନ୍ନ ରାଜ୍ୟର ସରକାର ନାପକିନ୍ ରିହାତି ମୂଲ୍ୟରେ ଦେବାକୁ ଘୋଷଣା କରିଥିଲେ।
ଇଟିଭି ଭାରତ, ଭୁବନେଶ୍ବର