ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ରାଜୀବ ଗାନ୍ଧୀ ସଭାଗୃହରେ ସୋମବାର ଦିନ ପ୍ରଥମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୯୦ ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ବ୍ୟକ୍ତିଗତ ୧୭୬ ସାମ୍ମୁହିକ ୧୪ଟି ଅଭିଯୋଗ ହୋଇଥିଲା ।
ଏହି ଅଭିଯୋଗ ଶୁଣାଣି ପରେ ୧୫ ଜଣ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୬ ହଜାର ଦିଆଯାଇଥିବା ବେଳେ ୪ଜଣଙ୍କୁ ରେଡକ୍ରସ ତରଫରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଏହି ଅଭିଯୋଗରେ ବିଶେଷକରି ଭିନ୍ନକ୍ଷମ ଭତ୍ତା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଓ ବାଦ୍ଧକ୍ୟ ଭତ୍ତା କାମ କରିଥିବା ବିଲ ନହେବା ସମ୍ପର୍କିତ ଅଭିଯୋଗ ବହୁ ସଂଖ୍ୟାରେ ରହିଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ସରକାର ଜିଲ୍ଲାପାଳଙ୍କ ଶୁଣାଣି ମାଧ୍ୟମରେ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ ସହ ଅସୁବିଧା ଜଣାଇବାକୁ ବ୍ୟବସ୍ଥା କରିଥିଲେ ମଧ୍ୟ ଭିନ୍ନକ୍ଷମ ଯୁବକମାନଙ୍କୁ ଶୁଣାଣି କକ୍ଷକୁ ଯିବାକୁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିନଥିଲେ ।
ଯାହାଫଳରେ କିଛି ଭିନ୍ନକ୍ଷମ ଯୁବକ ସିଡିରେ ଘୁଷୁଡି ଘୁଷୁଡି ଜିଲ୍ଳାପାଳଙ୍କ ପାଖକୁ ଯାଇଥିଲେ । ଯାହା ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ବହୁତ କଷ୍ଟ ଦେଇଥିଲା । ଯାହାକୁ ନେଇ ବିଗତ ଦିନ ବ୍ଳକ ପ୍ରଶାସନ ତରଫରୁ ଜିଲ୍ଲାପାଳ ଶୁଣାଣୀରେ ଭିନ୍ନକ୍ଷମ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ଏହି ଶୁଣାଣିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ମିଶ୍ର, ବିଡିଓ ମଧୁସୂଦନ ବେହେରା, ତହସିଲଦାର ଥାନାନିରୀକ୍ଷକ ଅଧିକାରୀ ସହ ବ୍ଳକର ସମସ୍ତ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ