ଭୁବନେଶ୍ବର: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (Indian Institute of Architects) ଓଡିଶା ଚାପ୍ଟର (IIA Odisha Chapter) ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଇଷ୍ଟର୍ଣ୍ଣ ରେଜିଓନାଲ କନ୍ଫରେନ୍ସ ୨୦୨୨ (Eastern Regional Conference 2022) କାର୍ଯ୍ୟକ୍ରମ । ଏହି ସମ୍ମିଳନୀ ଆସନ୍ତା ୧୭ରୁ ୧୯ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ ।
ପୂର୍ବ ଭାରତର ଆର୍କିଟେକ୍ଟମାନଙ୍କର ସର୍ବବୃହତ ସମ୍ମିଳନୀ ଇଷ୍ଟର୍ଣ୍ଣ ରେଜିଓନାଲ କନ୍ଫରେନ୍ସ ୨୦୨୨ (ERC 2022) ଆୟୋଜନ କରାଯାଉଛି । ଓଡିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଏବଂ ଝାଡଖଣ୍ଡକୁ ନେଇ ଆୟୋଜିତ ହେଉଛି ଏହି ସମ୍ମିଳନୀ । ଏହି ସମ୍ମିଳନୀରେ ସଦସ୍ୟମାନଙ୍କର ସ୍ବାର୍ଥ, ସେମାନଙ୍କ ବୃତିଗତ ମାନଦଣ୍ଡକୁ ଆଗକୁ ବଢାଇବା ଏବଂ ଆମ ଦେଶ ସମାଜ, ଅର୍ଥନୀତି ତଥା ସଂସ୍କୃତିର ସ୍ଥାୟୀ ଏବଂ ସୁସଂଗଠିତ ଅଭିବୃଦ୍ଧି କ୍ଷେତ୍ରେରେ ଆର୍କିଟେକ୍ଟମାନଙ୍କର ମୂଳ ବିସ୍ତାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି । ERC 2022ରେ ଆଞ୍ଚଳିକ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥପତି, ବକ୍ତା, ପ୍ରତିନିଧି, ଟେକ୍ନିକାଲ ପାର୍ଟନର, ଛାତ୍ରଛାତ୍ରୀ, ବୃତିଗତ ଶିଳ୍ପ ପ୍ରତିନିଧି ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏନେଇ ଓଡ଼ିଶା ଜୋନାଲ ଆର୍କିଟେକ୍ଟସର ଉପାଧ୍ୟକ୍ଷ ସ୍ବପ୍ନାଦତ୍ତ ମହାନ୍ତି କହିଛନ୍ତି, "କେଉଁ କାର୍ଯ୍ୟ ଆମକୁ ସମ୍ମିଳିତ ଭାବେ ଆଗକୁ ନେଇଯିବ ତାହାକୁ ଏହି ସମ୍ମିଳନୀରେ ଗୁରୁତ୍ବ ଦିଆଯିବ । ଏନେଇ କାର୍ଯ୍ୟକ୍ରମରେ ରିସର୍ଚ ପେପର ଉପସ୍ଥାପନା, ଗେଷ୍ଟ ସ୍ପିକର୍, ଟେକନିକାଲ ସେସନ୍, ଇଣ୍ଡଷ୍ଟ୍ରି ପାର୍ଟନସ୍ ଏବଂ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ମାଧ୍ୟମରେ ଆଲୋଚନା କରାଯିବ । ଏହାସହ ଅତୀତର ସ୍ଥାନୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ ଏବଂ ସାମାଜିକ ତଥା ଅର୍ଥନୈତିକ ଅବସ୍ଥିତି ଶିକ୍ଷା ସମ୍ପର୍କରେ ଶିକ୍ଷା ଉପରେ ଆଲୋଚନା କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର