ଭୁବନେଶ୍ବର: ବିଧାନସଭା ସୁରକ୍ଷା ପାଇଁ ଏଥର ନୂଆ ଷ୍ଟ୍ରାଟେଜି । ଡ୍ରୋନ କ୍ୟାମେରା ସହ ୫ଟି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯିବ । ଚଳିତ ଶୀତ କାଳିନ ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା କରାଯିବ । ଏନେଇ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି । ପୋଲିସ କମିଶନରଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଡିଆଇଜିଙ୍କ ସମେତ ଭୁବନେଶ୍ୱରେ ଡିସିପି ବିଧାନସଭା ପରିସର ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଏଥର ବିଧାନ ସଭାରେ ପ୍ରଥମ ଥର ପାଇଁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ କ୍ୟାମେରା ନିୟୋଜିତ କରିବ ଓଡ଼ିଶା ପୋଲିସ ।
ବିଧାନସଭା ସାମ୍ନାରେ ଆତ୍ମାହୁତି ଟ୍ରେଣ୍ଡ, ଲୋକଙ୍କ ବିରୋଧ ପ୍ରଦର୍ଶନ, ବିଭିନ୍ନ ସଂଗଠନର ଆନ୍ଦୋଳନ ଓ ରାଜନୈତିକ ଦଳମାନଙ୍କର ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏପରି ଷ୍ଟ୍ରାଟେଜି ଆପଣାଇଛି ପୋଲିସ । ଏହାସହିତ ଆତ୍ମାହୁତି ପାଇଁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ସାଧା ପୋଷାକରେ ବୁଲିବେ ପୋଲିସ କର୍ମଚାରୀ । ଏନେଇ ବାଲି ବୋଝେଇ ବସ୍ତା,କମ୍ବଳ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିଛି ପୋଲିସ । ଯେପରି ବିଧାନସଭା ସମ୍ମୁଖରେ କେହି ଆତ୍ମାହୁତି ଉଦ୍ୟମ ପାଇ ଚେଷ୍ଟା ନକରନ୍ତି ସେନେଇ ବିଭିନ୍ନ ସ୍ଥାନରେ କ୍ୟାମେରା ମଧ୍ୟ ଲଗାଯାଇଛି ।
ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ସୁରକ୍ଷା ଦୃଷ୍ଟିରୁ ବିଧାନସଭାର ତିନୋଟି ଏଣ୍ଟ୍ରି କରାଯାଇଛି । ପୂର୍ବ ଦ୍ବାର, ଉତ୍ତର ଦ୍ବାର ଏବଂ ବାଚସ୍ପତିଙ୍କ ପାଇଁ ଏଣ୍ଟ୍ରି ଗେଟ୍ ରହିଛି । ଏହା ସହିତ ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜଣେ ଡିସିପିଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପିଙ୍କୁ ବିଭିନ୍ନ ଦିଗରେ ସୁରକ୍ଷା ବଣ୍ଟନ କରାଯାଇଛି । ସେହିପରି ୧୦୦ ଅଫିସରଙ୍କ ସମେତ ଟ୍ରାଫିକ କର୍ମଚାରୀ ଓ ପାଖାପାଖି ୨୮ପ୍ଲାଟୁନ ଫୋର୍ସ ମୁତୟନ ସହ ୨ ୟୁନିଟ ସ୍ପେଶାଲ ଟାକ୍ଟିକାଲ ୟୁନିଟ ସହ ସିସିଟିଭି ଓ ରୁଫ ଟପ୍ ସର୍ଭିଲାନସ ଜରିଆରେ ସୁରକ୍ଷା ଦିଗରେ ପ୍ରସ୍ତୁତି ହୋଇଛି । ବିଧାନସଭାର ଚାରିପଟେ ୫ଟି କଣ୍ଟ୍ରୋଲ ରୁମ ଖୋଲାଯାଇଥିବାବେଳେ ଏହା ଜରିଆରେ ସୁରକ୍ଷା ଉପରେ ନଜର ରଖିବ ପୋଲିସ ।"
ଏହା ବି ପଢନ୍ତୁ...କାଲିଠୁ ବିଧାନସଭା ଶୀତ ଅଧିବେଶନ, ସର୍ବଦଳୀୟ ବୈଠକ କଲେ ବାଚସ୍ପତି
ସେପଟେ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି । ବିଧାନସଭା ଚାଲିବା ସମୟରେ ଏଜି ଛକରୁ କେଶରୀ ହଲ୍ ପର୍ଯ୍ୟନ୍ତ, ୧୨୦ବାଟାଲିୟନରୁ ରବୀଦ୍ର ମଣ୍ଡପ ଓ ଗାନ୍ଧି ମାର୍ଗରୁ ବିଧାନସଭା ଯିବାକୁ ଥିବା ରାସ୍ତାରେ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବନ୍ଧୁକଧାରୀ ପୋଲିସ ଓ ଅଗ୍ନିଶମ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି । ଇଣ୍ଟେଲିଜେନ୍ସ, ସ୍ପେଶାଲ ବ୍ରାଞ୍ଚ ସହ କମିଶନରେଟ ପୋଲିସ ଏନେଇ ଆଲର୍ଟ ରହିବେ । ବିଧାନସଭା ଚାରିପାଖରେ ଟ୍ରାଫିକ କଟକଣା ଲାଗୁ ହୋଇଛି । ଜନସାଧାରଣ ଯିବା ଆସିବା ଉପରେ ରୋକ ଲଗାଯାଇଛି । କେବଳ ସରକାରୀ କର୍ମଚାରୀ ଓ ଗଣମାଧ୍ୟମ କର୍ମକର୍ତ୍ତା ଆଇଡି କାର୍ଡ ଦେଖାଇ ଯାଇପାରିବେ ।
ଇଟିଭି ଭାରତ, ଭୁବନେଶ୍ବର