ଭୁବନେଶ୍ବର: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେବା ସହିତ ପୁଞ୍ଜି ବିନିଯୋଗ କରିଛନ୍ତି । ସ୍କୁଲ୍ ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ଆସୁଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ୱାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇଛି । ରାଜ୍ୟ ସରକାର, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ସରକାରୀ ସ୍କୁଲର ଶୈକ୍ଷିକ ବାତାବରଣରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଅଣାଯାଇଛି । ‘ମୋ ସ୍କୁଲ୍ ଅଭିଯାନ’ ଏହି ଦିଗରେ ଉଲ୍ଲେଖନୀୟ ସହଯୋଗ ଯୋଗାଇ ଦେଇଛି ।
ଏନେଇ ସୋମବାର ଅନୁଷ୍ଠିତ 'ମୋ ସ୍କୁଲ'ଅଭିଯାନର ୧୦ମ ପରିଚାଳନା ପରିଷଦ ବୈଠକକୁ ସମ୍ବୋଧିତ କରି ସସ୍ମିତା ବାଗ୍ଚୀ କହିଛନ୍ତି ଯେ, ମୋ ସ୍କୁଲର ସଫଳତାର ଗାଥା ପ୍ରତି ବିଦ୍ୟାଳୟ ଓ ଗାଁରେ ପହଞ୍ଚିଛି । ବିଦ୍ୟାଳୟ ଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ କେବଳ ମୋ ସ୍କୁଲ୍ ସମ୍ପର୍କରେ ଜାଣୁନାହାନ୍ତି । ବରଂ ଏହାର ସଫଳତାକୁ ମଧ୍ୟ ଅନୁଭବ କରୁଛନ୍ତି । ବିକଶିତ ଭିତ୍ତିଭୂମିର ସୁବିଧା ପାଉଛନ୍ତି । ଉଚ୍ଚ ବିଦ୍ୟାଳୟଗୁଡିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସ୍ଥାନୀୟ କର୍ପୋରେଟ୍ ଓ ଶିଳ୍ପ ସଂସ୍ଥାଗୁଡ଼ିକର ସିଏସ୍ଆର୍ ପାଣ୍ଠି ସହାୟତା ଓ ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ଏହି ସ୍କୁଲ୍ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍କୁଲ୍ ଗୁଡ଼ିକର ଭିତ୍ତିଭୂମିର ତଦାରଖ କରାଯାଇ ସ୍କୁଲ୍ ଚୟନ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମନୋନୀତ ବିଦ୍ୟାଳୟ ଗୁଡ଼ିକର ସାମଗ୍ରୀକ ବିକାଶ କରାଯିବ । ଏଥିସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଆଭ୍ୟନ୍ତରୀଣ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶରେ ଏହା ବିଶେଷ ସହାୟକ ହେବ । ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ତୃଣମୂଳସ୍ତରରେ ‘ମୋ ସ୍କୁଲ’ ଉକ୍ତ ବିଦ୍ୟାଳୟଗୁଡିକର ପ୍ରକଳ୍ପ ଅଗ୍ରଗତି, କାର୍ଯ୍ୟକାରିତା ଆଦି ତଦାରଖ କରିବ ।
ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ଥି ଏସ୍. ଯୋଗଦେଇ କହିଛନ୍ତି ଯେ, ମୋ ସ୍କୁଲ ଅଧୀନରେ ହେଉଥିବା ପ୍ରକଳ୍ପଗୁଡ଼ିକର ତଦାରଖର ଆବଶ୍ୟକତା ରହିଛି । ସ୍କୁଲ୍ ଓ ରାଜ୍ୟସ୍ତରରେ ବ୍ୟାପକ ସମୀକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତି ଜିଲ୍ଲାରେ ‘ସ୍କୁଲ୍ କ୍ଲବ୍’ର ସୁପରିଚାଳନା ପାଇଁ ଏକ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାଡର୍ ଗଠନ କରିବାକୁ ପରିଚାଳନା ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ।
ଏଥିସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କ୍ଲବ୍ଗୁଡ଼ିକ କାର୍ଯ୍ୟ କରିବା ସହ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ପରିଚାଳନା କରିବେ। ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ଖ୍ୟାତିନାମା ତଥା ସଫଳ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରେରଣାଦାୟକ ବକ୍ତୃତା ସିରିଜ୍ର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଥରେ ୟୁଟ୍ୟୁବରେ ପ୍ରସାରିତ ହେବ । ଏହି ବୈଠକରେ ‘ମୋ ସ୍କୁଲ୍’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ ‘ମୋ ସ୍କୁଲ୍ ଅଭିଯାନ’ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଇଟିଭି ଭାରତ, ଭୁବନେଶ୍ବର