ଭୁବନେଶ୍ବର: ୫ଟି ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲା ଓଡ଼ିଶା ହାଇଲେବୁଲ କ୍ଲିୟରାନ୍ସ ଅଥରିଟି । ମେକ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଏହି ପ୍ରସ୍ତାହ ଆସିଥିବା ବେଳେ ଶନିବାର ଏହାକୁ ଅନୁମୋଦନ ମିଳିଛି । ଅନୁମୋଦିତ ହୋଇଥିବା ଶିଳ୍ପ ପ୍ରକଳ୍ପ ମିଳିତ ଭାବେ ୩୫୭୬୦ କୋଟି ଟଙ୍କାର ନିବେଶ କରିବେ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୩୮୧୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିଲା ଏଚଏଲସିଏ ବୈଠକ ।
ବୈଠକରେ ୩୫୭୬୦ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଏହି ୫ଟି ପ୍ରକଳ୍ପ ମଧ୍ୟରେ ରହିଛି ଷ୍ଟିଲ, ଗ୍ରୀନ ଏନର୍ଜି, କେମିକାଲ ଓ ଟେକ୍ସଟାଇଲ । ୨ଟି ଷ୍ଟିଲ ସେକ୍ଟର, ଗୋଟିଏ ଗ୍ରୀନ ଏନର୍ଜି, ଗୋଟିଏ ପ୍ରୋଜେକ୍ଟ କେମିକାଲ ସେକ୍ଟର ଏବଂ ଗୋଟିଏ ଟେକ୍ସଟାଇଲ ସେକ୍ଟର । ଏହି ଶିଳ୍ପ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦୁଝରରେ ପ୍ରତିଷ୍ଠା ହେବା ପାଇଁ ସବୁଜ ସଙ୍କେତ ମିଳିଛି ।
ଢେଙ୍କାନାଳ ଜିଲ୍ଲାର ନେଉଳପୋଇରେ ଓ୍ବାରି ଏନର୍ଜି ପକ୍ଷରୁ ପ୍ରସ୍ତାବିତ ସୋଲାର ଉପକରଣ ଉତ୍ପାଦନ କାରଖାନା ରହିଛି । ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ପୂର୍ବ ଭାରତର ବୃହତ୍ତମ ଉତ୍ପାଦନ କ୍ଷମତା ରଖିଥିବା କାରଖାନା ହେବ । ସେହିପରି ସୁପର ସ୍ମେଲଟର ଲିମିଟେଡର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । ଏହି କମ୍ପାନୀ କେନ୍ଦୁଝରରେ ୫୪୩୬.୧୦ କୋଟି ଟଙ୍କାର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହି କମ୍ପାନୀ କାର୍ଯ୍ୟକାରୀ ହେଲେ ୧୯ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହାବ୍ୟତୀତ ଏଚଏଲସିଏ ଅନ୍ୟ ଏକ ଷ୍ଟିଲ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହି ଷ୍ଟିଲ ପ୍ରକଳ୍ପ କାଶଭି ପାୱାର ଏବଂ ଷ୍ଟିଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ କେନ୍ଦୁଝରରେ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପରେ ୧୬ ଶହ କୋଟି ବିନିଯୋଗ ହେବା ସହ ୩୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିବ । ସେହିପରି ଏଚଏଲସିଏ ଭଦ୍ରକ ଜିଲ୍ଲାରେ ଏକ ଟେକନିକାଲ ଟେକ୍ସଟାଲ ସେକ୍ଟର ପ୍ରକଳ୍ପକୁ ଅନୁମୋଦନ କରିଛି । ଏମସିପିଆଇ ପ୍ରାଇଭେଟ ଲିମିଟେଡ ଏହି ପ୍ରକଳ୍ପ ପାଇଁ ୨୨୨୩.୨୫ କୋଟି ବିନିଯୋଗ କରିବ । ଏଥିରେ ୧୧୫୦ ଜଣଙ୍କ ପାଇଁ ନିଯୁ୍କ୍ତି ସୁଯୋଗ ସୃଷ୍ଟି ହେବ । କେମିକାଲ ସେକ୍ଟରରେ ଗୋଟିଏ ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି । ଯାହା ୫୦୦ ଲୋକଙ୍କୁ କର୍ମନିଯୁ୍କ୍ତି ଦେବ । ଧୁନସେରୀ ପେଟ୍ରୋକେମ ଇଣ୍ଡଷ୍ଟ୍ରି ଲିମିଟେଡ ଏହି ପ୍ରକଳ୍ପ ଜଗତସିଂହପୁରରେ ପ୍ରତିଷ୍ଠା କରିବ । ଏଥିପାଇଁ ୧୫ ଶହ କୋଟି ଟଙ୍କା ବିନିଯୋଗ ହେବ ।
ଇଟିଭି ଭାରତ, ଭୁବନେଶ୍ବର