ଖୋର୍ଦ୍ଧା/ଭବାନୀପାଟଣା: ରାଜ୍ୟରେ ଅନେକ ଲୋକଙ୍କୁ ଜୀବନ ନେଇଛି କିଲର ଭାଇରସ। ତନ୍ମଧ୍ୟରେ ରହିଛନ୍ତି ବହୁ ସାମ୍ବାଦିକ । କୋଭିଡ ଯୋଦ୍ଧାର ଆଖ୍ୟା ପାଇଥିବା ଅନେକ ସମ୍ବାଦିକ କର୍ତ୍ତବ୍ୟରତ ସମୟରେ ସଂକ୍ରମଣର ଶିକାର ପାଲଟି ଜୀବନ ହରାଇଛନ୍ତି । କୋଭିଡରେ ମୃତ ସମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ବ୍ୟବସ୍ଥା ଥିବାରୁ ଶୁକ୍ରବାର ଭୁବନେଶ୍ବରର 4 ଜଣ ମୃତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି । ଏହି ରାଶି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।
କୋରୋନା ଲଢେଇରେ ପ୍ରାଣ ହରାଇଥିବା ଏହି ସାମ୍ବାଦିକମାନେ ହେଲେ ଇଂରାଜୀ ଦୈନିକ ପତ୍ରିକା 'ଟାଇମ୍ସ ଅଫ୍ ଇଣ୍ଡିଆ'ର ପ୍ରୀତିମାନ ମହାପାତ୍ର, 'ଆଜିକାଲି' ଓଡିଆ ଦୈନିକ ପତ୍ରିକାର ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି, 'ମୁକୁବୃତ୍ତ' (ଫ୍ରି ଲାନ୍ସ ) ସାମ୍ବାଦିକ ବସନ୍ନ ଦାସ ଓ 'ଜି ଓଡିଶା' ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ବ୍ୟାଙ୍କ ଜରିଆରେ ସେମାନଙ୍କ ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ସ୍ଥାନାନ୍ତର କରାଯାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ କୋଭିଡରେ ଆଖି ବୁଜିଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ । ମୃତ ସାମ୍ବାଦିକ ଜଣକ ହେଉଛନ୍ତି ଭାନୁ ପ୍ରକାଶ ରଥ । ସେ କୋଭିଡ ଆକ୍ରାନ୍ତ ହୋଇ ଚଳିତ ଏପ୍ରିଲ 15 ତାରିଖରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ଏପ୍ରିଲ 29 ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ