ଭୁବନେଶ୍ବର: ଦୁର୍ନୀତିଖୋର ସରକାରୀ ଚାକିରିଆଙ୍କ ଚିନ୍ତା ବଢାଇଛି ଭିଜିଲାନ୍ସ। ଲାଞ୍ଚ ବା ଦୁର୍ନୀତିରେ ଲିପ୍ତ ଥିଲେ ଧରିବାକୁ ଛକିଛନ୍ତି ଭିଜିଲାନ୍ସ ଅଫିସର। କେତେବେଳେ କେଉଁ ପରିସ୍ଥିତିରେ କେଉଁ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ପହଞ୍ଚି ଯିବ ତାହା କାହାକୁ ଜଣା ନାହିଁ। କାରଣ ଜଣଙ୍କ ପରେ ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ କରି ପୁଳା ପୁଳା ସମ୍ପତ୍ତି ଜବତ କରୁଛି । ଅନ୍ୟପଟେ ଏବେ ସରକାରୀ ଚାକିରିଆଙ୍କୁ ଫସାଇବାକୁ ବଡ଼ବଡ଼ ଚକ୍ରାନ୍ତ ହେଉଥିବା ସାମ୍ନାକୁ ଆସୁଛି । ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ପିଟିସନରେ ସତ୍ୟତା ନଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଗତ ସାଢ଼େ 4ବର୍ଷରେ ସରକାରୀ ଚାକିରିଆଙ୍କ ବିରୋଧରେ 1084ଟି ବେନାମୀ ପିଟିସନ ହୋଇଛି ।
ସରକାରୀ କର୍ମଚାରୀଙ୍କ ନାମରେ ଦୁର୍ନୀତିରେ ଅଭିଯୋଗ ପରେ ତଦନ୍ତ କରାଯାଇଥିଲେ ମଧ୍ୟ ସାମ୍ନାକୁ ଆସୁନି ଦୁର୍ନୀତିର ଚିତ୍ର । କିଛି ଲୋକ ନିଜ ସ୍ବାର୍ଥ ସାଧନ ପାଇଁ ବା ସରକାରୀ କର୍ମଚାରୀଙ୍କୁ ହଇରାଣ ପାଇଁ ଭିଜିଲାନ୍ସରେ ଅଭିଯୋଗ କରୁଛନ୍ତି । ବ୍ୟକ୍ତିଗତ ଶତୃତାକୁ ନେଇ ସରକାରୀ କର୍ମଚାରୀଙ୍କ ଉପରେ ରାଗ ସୁଝାଇବାକୁ ଭିଜିଲାନ୍ସରେ କେସ୍ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ
ଭିଜିଲାନ୍ସର ତଥ୍ୟ ଅନୁସାରେ ୨୦୧୯ରେ ୧୧୯ଟି ମିଛ ପିଟିସନ, ୨୦୨୦ରେ ୨୦୦ଟି, ୨୦୨୧ରେ ୩୩୨ଟି, ୨୦୨୨ରେ ୩୨୮ଟି ଏବଂ ୨୦୨୩ରେ ଏଯାବତ ୬୦ଟି ମିଛ କେସ ବା ବେନାମୀ ପିଟିସନ ଫାଇଲ କରାଯାଇଛି । ଯାହକି ତଦନ୍ତ ବେଳେ କୌଣସି ଦୁର୍ନୀତି ସାମ୍ନାକୁ ଆସିନାହିଁ କି ଅଫିସରଙ୍କର ସେଭଳି ସମ୍ପତ୍ତି ବା ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିନାହାନ୍ତି ବୋଲି ଜଣାପଡିଛି । କିଛି ଲୋକ ନିଜର ସ୍ବାର୍ଥ ସାଧନ ଲାଗି ଯଦି କୌଣସି ସରକାରୀ କର୍ମଚାରୀ ବାଧକ ସାଜୁଛନ୍ତି ତେବେ ସେମାନଙ୍କୁ ଭିଜିଲାନ୍ସ କେସରେ ଫସାଇବାକୁ ଚକ୍ରାନ୍ତ ରଚି ତାଙ୍କ ନାରେ ପିଟିସନ ଫାଇଲ କରୁଛନ୍ତି । ବିଶେଷ କରି ଭିଜିଲାନ୍ସରେ ଅଧିକାଂଶ ଇଞ୍ଜିନିୟରଙ୍କ ନାଁରେ ଅଭିଯୋଗ ଆସିଥାଏ । ଅଧିକାଂଶ ଠିକାଦାରମାନେ ପ୍ରୋଜେକ୍ଟ ବା କାମ ଉପରେ ବିଲ୍, ଅର୍ଡର ବା ଟେଣ୍ଡରରେ କିଛି ଅସୁବିଧା ହେଲେ ଭିଜିଲାନ୍ସରେ ମିଛ ପିଟିସନ କରି ସରକାରୀ ଅଧିକାରୀଙ୍କୁ ହଇରାଣ ବା ବଦନାମ ପାଇଁ ଚେଷ୍ଟା କରୁଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।
ଏହା ଦ୍ବାରା ତଦନ୍ତରେ ସମୟ ବର୍ବାଦ ହେଉଛି ଅନେକ ଫର୍ଜି କେସର ତଦନ୍ତ ପାଇଁ ସତ କେସ ଗୁଡ଼ିକ ପଡ଼ି ରହୁଛି । ଫଳରେ ପେଣ୍ଡିଂ କେସ ପଡ଼ିରହିବା ସହ ବିଭାଗ ପାଇଁ ତଦନ୍ତ କରିବା କଷ୍ଟକର ହେଉଛି । ତେବେ ଏପରି ବେନାମୀ ପିଟିସନର କୌଣସି ସତ୍ୟତା ନଥିବା ଜଣା ପଡ଼ିବା ପରେ ସେସବୁ କେସ୍କୁ ଡିସ୍ପୋଜାଲ କରାଯାଉଛି । ଏଭଳି ବେନାମୀ ପିଟିସନକାରୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେବାକୁ ଭିଜିଲାନ୍ସ ଯୋଜନା କରିଛି । ଏହା ଦ୍ବାରା ଭିଜିଲାନ୍ସର ସମୟ ନଷ୍ଟ ହେବା ସହ ପ୍ରକୃତ ଲାଞ୍ଚୁଆ ବା ଦୁର୍ନୀତିଖୋରଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବାରେ ସମୟ ଲାଗୁଛି । ତେଣୁ ଏଭଳି ମିଛ ପିଟିସନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର