ଭୁବନେଶ୍ବର: ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଶେଷ ଭିଡିଓ । ଜୀବନ ହାରିବା ପୂର୍ବରୁ ଭିଡ଼ିଓ କରିଥିଲେ ଡିଜେ ଆଜେକ୍ସ । ମୃତ୍ୟୁ ପୂର୍ବର ୪ଟି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ଆଜେକ୍ସ ନିଜ ରୁମରେ କାନ୍ଦୁଥିବାର ଦେଖିବାକୁ ମିଳିଛି । କାନ୍ଦି କାନ୍ଦି ନିଜ ପ୍ରେମିକା ନା ନେଇ ତାଙ୍କୁ ବଞ୍ଚେଇ ଦେବାକୁ ଅନୁରୋଧ କରୁଛନ୍ତି । ତାଙ୍କ ଭଲ ପାଇବାର କିଛି ମୂହୁର୍ତ୍ତକୁ ମନେ ପକାଇ କାନ୍ଦୁଛନ୍ତି ।
କାନ୍ଦିକାନ୍ଦି ଘରର ଚାରିପଟେ ବୁଲିବୁଲି ହୁଏତ ନିଜ ବାନ୍ଧବୀ ପାଖକୁ ଭିଡିଓରେ ମେସେଜ ପଠାଇବାକୁ ଭିଡିଓ ରେକର୍ଡ କରିଛନ୍ତି । ଏପରିକି ଭିଡ଼ିଓରେ ସେ ତାଙ୍କର ଭୁଲ ବୁଝିପାରିଛନ୍ତି ତାଙ୍କୁ କ୍ଷମା କରନ୍ତୁ ବୋଲି କହୁଛନ୍ତି। ଏହା ସହିତ ତାଙ୍କୁ ଆଉ ଭୁଲ ବୁଝନ୍ତୁ ନାହିଁ ଏଥର ମାନିଯିବାକୁ ଅନୁରୋଧ କରୁଛନ୍ତି । ସେ ଭିଡ଼ିଓରେ କହୁଛନ୍ତି, "ତାଙ୍କୁ ସେ ବହୁତ ଭଲ ପାଆନ୍ତି ଆଉ କେବେବି ଭୁଲି କରିବେନି। ଥରୁଟିଏ କ୍ଷମା କରିଦିଅ ବୋଲି ଅନୁରୋଧ କରୁଛନ୍ତି ।" ନିଜ ରୁମ ଭିତରେ ଏପରି କାନ୍ଦୁଥିବାର ୪ଟି ଭିଡିଓ ଏବେ ସାମ୍ନାକୁ ଆସିଛି । ତେବେ ଆଜେକ୍ସ ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ କରିଥିଲେ ବୋଲି ତାଙ୍କ ମାଆ କହିଛନ୍ତି । ସେ କହିଛନ୍ତି, " ଝିଅ ଚାହିଁଥିଲେ ପୁଅ ବଞ୍ଚି ଯାଇଥାନ୍ତା । ଯଦି ହୁଏତ ପୁଅକୁ ସେ ବାହା ହେବାର ନଥିଲା । ମିଛରେ ହଁ କରି ସେ ସମୟରେ ତାକୁ ବୁଝେଇ ଦେଇଥିଲେ ପୁଅ ବଞ୍ଚି ଯାଇଥାନ୍ତା । ଝିଅ ଜାଣିଶୁଣି ପୁଅକୁ ମାରି ଦେଇଛି । ଦୁଇ ଝିଅଙ୍କୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । କାରଣ ଦୁଇ ଝିଅଙ୍କ ମଧ୍ୟରେ ଥିବା ହ୍ବାଟସପ ମେସେଜ ଦେଖିଛି । ସେମାନେ ଦୁଇ ଜଣ ଦୁଇ ଜଣ ଭିତରେ ଜିଦ୍ ମରାମରି ହୋଇଛନ୍ତି । ଯିଏ ତାକୁ ବାହା ହେବ ଅନ୍ୟର କୌଣସି ଆପତ୍ତି ନାହିଁ ।" ଅର୍ଥାତ ଦୁଇ ଝିଅଙ୍କ ମଧ୍ୟରେ ଥିବା ତାଙ୍କ ପୁଅ ପ୍ରତି ଭଲ ପାଇବାର ପ୍ରତିଶୋଧ ଭିତରେ ତାଙ୍କ ପୁଅ ଫସିଯାଇ ଭୁଲ ବୁଝାମଣା ଭିତରେ ସେ ଜୀବନ ହାରିଥିବା ମାଆ କହିଛନ୍ତି ।
ସବୁ ପ୍ରମାଣ ପୋଲିସ ପାଖରେ ଅଛି ପୋଲିସ ତଦନ୍ତ ଆଳରେ କିଛି କରୁନାହିଁ ବୋଲି ଆଜେକ୍ସଙ୍କ ମାଆ କହିଛନ୍ତି । ଏନେଇ ସେ ହାଇକୋର୍ଟର ସାହାରା ମଧ୍ଯ ନେଇଛନ୍ତି । ଯେପର୍ଯ୍ୟନ୍ତ ଝିଅ ଗିରଫ ନ ହୋଇଛି ଏବଂ ପୁଅକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ସେ ଲଢିବେ ବୋଲି କହିଛନ୍ତି ଆଜେକ୍ସଙ୍କ ମାଆ । ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୧୯ ତାରିଖରେ ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିଲା । ଅକ୍ଷୟ କୁମାର ମହାରଣା ଓରଫ ଡିଜେ ଆଜେକ୍ସ ପ୍ରେମ ପ୍ରତାରଣାକୁ ନେଇ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧିନ ଅଛି ।
ଇଟିଭି ଭାରତ, ଭୁବନେଶ୍ବର