ଖୋର୍ଦ୍ଧା: ଇଚ୍ଛା ଥିଲା ବ୍ରହ୍ମ କମଳ ଫୁଲ ଫୁଟିଲେ କାଳିଆ ପାଖକୁ ନେବେ । ହେଲେ ତାଙ୍କ ସ୍ବପ୍ନ ଅଧାରେ ରହିଗଲା । ଆମେ କହୁଛୁ ଖୋର୍ଦ୍ଧାର ଅଭିନ୍ନ ମହାପାତ୍ରଙ୍କ କଥା । ଯିଏ ନିଜ ବାଡ଼ିରେ ତିନି ବର୍ଷ ତଳେ ଲଗାଇଥିଲେ ବ୍ରହ୍ମ କମଳ ଫୁଲ ଗଛ । ଫୁଲ ଫୁଟିଲେ ଜଗା ପାଖକୁ ନେଇ ଯିବେ ବୋଲି ମାନସିକ କରିଥିଲି । ହେଲେ କୋରୋନା କଟକଣା ଯୋଗୁଁ ଜଗାକୁ ଚଢାଇ ପାରିବେନି ଫୁଲ । ଏନେଇ ସେ ମନ ଉଣା ମଧ୍ୟ କରିଛନ୍ତି ।
ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ମଙ୍ଗଳା ନଗର ଚାରି ନମ୍ବର ଲେନରେ ରହୁନ୍ତି ଅଭିନ୍ନ । ତାଙ୍କ ବାଡ଼ିରେ ବ୍ରହ୍ମ କମଳ ଦୁଇଟି ଫୁଲ ଫୁଟିଛି। ବର୍ତ୍ତମାନ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଏହି ଫୁଲ ଫୁଟିବା ବିରଳ । ତାଙ୍କ ବାଡ଼ିରେ ଏହି ଫୁଲ ଦେଖିବାକୁ ଆଖପାଖ ଲୋକମାନେ ଗଛ ନିକଟକୁ ଆସି ଭକ୍ତିରେ ମୁଣ୍ଡିଆ ମାରୁଛନ୍ତି । ଏହି ଫୁଲ କେବଳ ମହାପ୍ରଭୁଙ୍କ ଠାରେ ଲାଗି ହୁଏ । ଅଭିନ୍ନ ଏହି ଗଛ ତିନି ବର୍ଷ ତଳେ ଲଗାଇ ଯତ୍ନ ନେଉଥିଲେ । ବର୍ତ୍ତମାନ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେଉ ନଥିବାରୁ ଜାଗୁଳାଇ ପାଟଣା ସ୍ଥିତ ପୂର୍ଣ ବିଗ୍ରହ ଜଗନ୍ନାଥ ମନ୍ଦିରକୁ ନେଇ ଠାକୁରଙ୍କୁ ଲାଗି କରିବେ ବୋଲି କହିଛନ୍ତି । ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ବ୍ରହ୍ମ କମଳ ଫୁଲ ଦର୍ଶନ କଲେ ପୂଣ୍ୟ ହୁଏ ବୋଲି ବିଶ୍ଵାସ ରହିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ