ଖୋର୍ଦ୍ଧା: ପୁଣି ଥରେ ଦଳେଇପୁଟ ଟୁକୁନି ସ୍ବାଇଁ ଘର ଉପରେ ଦୁର୍ବୃତ୍ତଙ୍କ ବୋମାମାଡ । ପୂର୍ବରୁ ଦୁଇ ଦୁଇ ଥର ଏପରି ବୋମା ମାଡ ହୋଇଥିବା ବେଳେ ଏଥର ପୋଲିସ ଉପସ୍ଥିତିରେ ଦୋହରିଛି ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଦଳେଇପୁଟରେ ଏହି ବୋମାମାଡ଼ ହୋଇଥିବା ଜଣା ପଡିଛି।
ଆଶ୍ଚର୍ଯ୍ୟର କଥା କି ଏଥର ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ସେମାନଙ୍କ ଉପସ୍ଥିତିରେ ବୋମା ମାଡ କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ 4ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ବୋମାମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ପୂର୍ବରୁ ଗତ 11 ଓ 18 ତାରିଖରେ ମଧ୍ୟ ବୋମା ମାଡ ହୋଇଥିଲା ।
ସେହିପରି 11 ତାରିଖରେ ହୋଇଥିବା ବୋମା ମାଡ ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ତେବେ କିଏ ଏବଂ କାହିଁକି ବାରମ୍ବାର ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରୁଛି ତାହା ଜଣାପଡିନାହିଁ । ବୋମା ମାଡର ଭିଡିଓ ସିସିଟିଭିରେ କଏଦ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ