ଭୁବନେଶ୍ବର: ବହୁ ବାଦ ବିବାଦ ପରେ ଶେଷରେ ତ୍ରୁଟି ମାନିଲେ ସରକାର। ଏକାଦଶ ଶ୍ରେଣୀର ସ୍ପଟ୍ ନାମଲେଖାରେ ତ୍ରୁଟି ହୋଇଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଛି ବିଭାଗ। ନାମଲେଖାରୁ ବଞ୍ଚିତ ହୋଇଥିବା ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗର ପ୍ରତିଶ୍ରୁତି ଦିଆଯାଇଛି । ୱେଟଜରେ ମନୋନୀତ ସଂଖ୍ୟା ବିପକ୍ଷରେ ସମାନ ସିଟ୍ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏକାଦଶ ଶ୍ରେଣୀରେ ଆଡମିଶନ ନିମନ୍ତେ SC, ST ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସମସ୍ତ କଲେଜରେ ସିଟ୍ ଗୁଡ଼ିକ ରିଜର୍ଭର ବ୍ୟବସ୍ଥା ରହିଛି। ସେହିପରି NCC ଏବଂ ରାଜ୍ୟ ତଥା ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ୱେଟଜ ସିଟର ବ୍ୟବସ୍ଥା ରହିଛି। ତେବେ ପ୍ରତ୍ୟେକ ବିଦ୍ୟାଳୟରେ ଥିବା ମୋଟ ଆସନ ସଂଖ୍ୟାର ଶତକଡା ୧୦ ପ୍ରତିଶତ କେବଳ ୱେଟଜ ପାଇଁ ଧାର୍ଯ୍ୟ କରାଯାଇଥାଏ। ଯାହାକି ବର୍ତ୍ତମାନ ଏହା ୧୦ ପ୍ରତିଶତରୁ କମ୍ ରହିଛି।
ତେବେ ଯୁକ୍ତ ଦୁଇ ନାମ ଲେଖା ସମୟରେ ପ୍ରଥମ ଓ ଦ୍ଵିତୀୟ ଚୟନ ପ୍ରକ୍ରିୟା ପରେ ଅନେକ ସମସ୍ୟା ଦେଖାଯାଇଥିଲା । ତାହା ହେଉଛି କିଛି ଅନୁଷ୍ଠାନରେ ଧାର୍ଯ୍ୟ ଥିବା ଆସନ ସଂଖ୍ୟା ଶତକଡା ୧୦ ପ୍ରତିଶତରୁ କମ୍ ରହିଛି। ତେବେ ଚଳିତ ସ୍ପଟ୍ ଚୟନ ପ୍ରକ୍ରିୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଥମ ଏବଂ ଦ୍ଵିତୀୟ ଚୟନ ପ୍ରକ୍ରିୟା ପରେ ଖାଲି ଥିବା ସମସ୍ତ ଆସନଗୁଡିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତ ୱେଟଜ (NCC, Scout Guide, Sports) ଦାବିଦାର ବିଦ୍ୟାର୍ଥୀଙ୍କୁ ବିଚାରକୁ ନିଆଯାଇ ଏକ ମେଧା ତାଲିକା ପ୍ରସ୍ତୁତ କରଯାଇଥିଲା। ଫଳରେ କିଛି ଶିକ୍ଷାନୁଷ୍ଠାନରେ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀ ସିଟ୍ ପାଇବାରୁ ବଞ୍ଚିତ ହେଉଥିବା ଜଣାପଡିଥିଲା।
ଏହି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଟ୍ ଚୟନ ପ୍ରକ୍ରିୟାରେ ଖାଲି ଥିବା ଆସନ ସଂଖ୍ୟା ମଧ୍ୟରୁ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିଥିବା ବିଦ୍ୟାଳୟରେ ଆସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିନିମନ୍ତେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ WHATSAPP ଏବଂ SMS ମାଧ୍ୟମରେ ଅବଗତ କରାଯିବ। ତେବେ ଇଛୁକ ଛାତ୍ରଛାତ୍ରୀମାନେ ଉକ୍ତ ଶିକ୍ଷାନୁଷ୍ଠାନରେ ନିଜ ଇଚ୍ଛା ମୁତାବକ ଆଡମିଶନ ପାଇ ପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ୨ ହଜାର ୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମୋଟ ୫ ଲକ୍ଷ ୯ ହଜାର ୩୭୩ ଆସନରେ ଆଡମିଶନ ହୋଇଛି । ସେଥିମଧ୍ୟରୁ ୩ ଲକ୍ଷ ୭୭ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୧ ହଜାର ୬୦୩ ସିଟ୍ ଖାଲି ପଡ଼ିଥିବା ଜଣାପଡିଛି।
ଇଟିଭି ଭାରତ, ଭୁବନେଶ୍ବର