ଭୁବନେଶ୍ବର: ରାଜଧାନୀରେ ଗୁରୁବାର 68ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟଙ୍କ ସଂଖ୍ୟା ଏକ ହଜାର ତଳକୁ ଖସିଛି । ସେପଟେ 115ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
ରାଜଧାନୀରେ ମୋଟ 68ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 14ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 54ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ ଅପେକ୍ଷା ରାଜଧାନୀର ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂକ୍ରମିତ ହେଉଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର 522ରେ ପହଞ୍ଚିଛି ।
ହୋମ କ୍ଵାରେଣ୍ଟାଇନରୁ ସଂକ୍ରମିତ ହୋଇଥିବା 14ଜଣଙ୍କ ମଧ୍ୟରୁ 3 ଜଣ ଚନ୍ଦ୍ରଶେଖରପୁର, 2 ଜଣ ମଞ୍ଚେଶ୍ବରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଲେଖାଏଁ କଳିଙ୍ଗନଗର, କପିଳପ୍ରସାଦ, ନୟାପଲ୍ଲୀ, ଓଲଡ଼ ଟାଉନ, ପଟିଆ ଓ ରସୁଲଗଡ଼ ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ 5 ଜଣ ଓଲଡ଼ ଟାଉନ, 7 ଜଣ ପଟିଆ, 3 ଜଣ ସୂର୍ଯ୍ୟ ନଗର, 2 ଜଣ ଶ୍ୟାମପୁର, 2 ଜଣ ରସୁଲଗଡ଼, 2 ଜଣ ନିୟୁ ଫରେଷ୍ଟ ପାର୍କ, 2 ଜଣ ଆଇ ଆର ସି ଭିଲେଜ, 2 ଜଣ ଭୀମଟାଙ୍ଗି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହ ଆଚାର୍ଯ୍ୟ ବିହାର, ବଡଗଡ, ଚନ୍ଦ୍ରଶେଖରପୁର, ଗାଢକଣା, ହଂସପାଳ, କନକ ବିହାର, ଝାରପଡା, ଜାଗମରା, ଲକ୍ଷ୍ମୀ ସାଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 931 ଜଣ ସକ୍ରିୟ ରହିଛନ୍ତି ଏବଂ 175ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ