ଭୁବନେଶ୍ବର: କର୍ଣ୍ଣାଟକରେ 5 ସୁତ୍ରି ପ୍ରତିଶ୍ରୁତି ସଫଳ ହେବା ପରେ ଏବେ ତେଲେଙ୍ଗାନାରେ କଂଗ୍ରେସ ଆଣିଛି 6 ସୁତ୍ରୀ ପ୍ରତିଶ୍ରୁତି । ଏହାପରେ ଓଡ଼ିଶା ପାଇଁ ମଧ୍ୟ ମାନିଫେଷ୍ଟୋ ପ୍ରସ୍ତୁତ କରୁଛି କଂଗ୍ରେସ। ତେବେ କର୍ଣ୍ଣାଟକରେ ନିର୍ବାଚନୀ ସଫଳତା ପରେ ତେଲେଙ୍ଗାନାରେ 6ଟି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ତେଲେଙ୍ଗାନାରେ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ 2500 ଟଙ୍କା, 500 ଟଙ୍କାରେ ଏଲପିଜି ସିଲିଣ୍ଡର ଏବଂ ରାଜ୍ୟର ସରକାରୀ ବସରେ ମହିଳାଙ୍କୁ ମାଗଣା ଯାତ୍ରା ଦିଆଯିବ ବୋଲି ସୋନିଆ ଗାନ୍ଧି ଘୋଷଣା କରିଛନ୍ତି । ତେବେ ଆଗକୁ ଓଡିଶାରେ ନିର୍ବାଚନ ଥିବାବେଳେ କଂଗ୍ରେସର ମାନିଫେଷ୍ଟୋ କ'ଣ ରହିବ ସେନେଇ ପ୍ରଶ୍ନ ଉଠିଛି।
ଏନେଇ ରାଜ୍ୟ କଂଗ୍ରେସର ମାନିଫେଷ୍ଟୋ କମିଟିର ଚେୟାରମ୍ୟାନ ପଞ୍ଚାନନ କାନୁନଗୋ କହିଛନ୍ତି, "ରାଜ୍ୟ କଂଗ୍ରେସର ମାନିଫେଷ୍ଟୋରେ ଯାହା ରହିବ ତାହା ଦ୍ବାରା କଂଗ୍ରେସର ମଙ୍ଗଳ ହେବ, ସାଧାରଣ ଜନତାଙ୍କ ମଙ୍ଗଳ ହେବ ଏବଂ ରାଜ୍ୟର ମଙ୍ଗଳ ହେବ । ମାନିଫେଷ୍ଟୋରେ କିଛି ଏମିତି ଯୋଜନା ଅଣାଯିବ ଯାହା ଦ୍ବାରା ରାଜ୍ୟର ଆର୍ଥିକ ବ୍ୟବସ୍ଥା ଉପରେ ଚାପ ପଡିବନି । ସାଧାରଣ ଲୋକଙ୍କ ପାଇଁ ଏମିତି ଯୋଜନାରେ ଟଙ୍କା ବଣ୍ଟାଯିବ, ଯାହା ଉତ୍ପାଦନ ମୁଖି ହେବ । ପରିବାରର ଆର୍ଥିକ ସମୃଦ୍ଧି ହେବ। ଏହା ଦ୍ବାରା କଂଗ୍ରେସ ଲୋକଙ୍କ ଦ୍ବାରା ଆକୃଷ୍ଟ ହେବ । ଲୋକେ କଂଗ୍ରେସକୁ ଭୋଟ ଦେବେ । ବିଶେଷ କରି ଚାଷୀ, ଆଦିବାସୀ, ଦଳିତ, ଯୁବକ ଏବଂ ମହିଳାଙ୍କୁ ସୁହାଇଲା ଭଳି କିଛି ଯୋଜନା ମାନିଫେଷ୍ଟୋରେ ରହିବ ।"
ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "କର୍ଣ୍ଣାଟକ, ତେଲେଙ୍ଗାନା ପରି କଂଗ୍ରେସ ଓଡିଶାର ମାନିଫେଷ୍ଟୋରେ ନ୍ୟାସନାଲ ପ୍ୟାଟର୍ଣ୍ଣ ରହିବ । ରାଜ୍ୟର 40 ଭାଗ ଲୋକ ଆଦିବାସୀ ଏବଂ ଦଳିତ ହୋଇଥିବାବେଳେ ସେମାନଙ୍କ ଅଞ୍ଚଳରୁ ଖଣି ଖାଦାନରୁ ଓଡିଶାର ଅର୍ଥନୀତି ପ୍ରଭାବିତ ହେଉଛି । ତେଣୁ ଆଦିବାସୀ ଏବଂ ଦଳିତଙ୍କ ପାଇଁ ମାନିଫେଷ୍ଚୋରେ ସ୍ବତନ୍ତ୍ର ପ୍ରାବଧାନ ରହିବା ଦରକାର । ବିଶେଷ କରି ଚାଷୀଙ୍କ ଉପରେ ଗୁରୁତ୍ବ ଦେବା ଦରକାର । ଚାଷୀମାନଙ୍କ ପାଇଁ ବିଜେଡି ସରକାର କାଳିଆ ଯୋଜନା ଆଣିଥିବା ବେଳେ କେନ୍ଦ୍ରର ବିଜେପି ସରକାର ପିଏମ କିସାନ ଭଳି ଯୋଜନାମାନ ଆଣିସାରିଛନ୍ତି । ଏହି ଯୋଜନାକୁ ଟକ୍କର ଦେବା ଭଳି ଯୋଜନା କଂଗ୍ରେସ ଚାଷୀମାନଙ୍କ ପାଇଁ ଆଣିବା ଦରକାର।"
ସେ ଆହୁରି ମଧ୍ୟ କହିଛନ୍ତି, "ଏବେ ମାନିଫେଷ୍ଟୋ ନେଇ ଲୋକମାନଙ୍କ ସହିତ କଥାବାର୍ତ୍ତା ଚାଲିଛି । ବୁଦ୍ଧିଜୀବୀମାନଙ୍କ ସହିତ ବିଚାର ବିମର୍ଶ ସହ ତଥ୍ୟ ସଂଗ୍ରହ କରାଯାଉଛି । ଏସବୁକୁ ଏକାଠି କରି ମାନିଫେଷ୍ଟୋ ତିଆରି ହେବ । ତେବେ କର୍ଣ୍ଣାଟକରେ କଂଗ୍ରେସର 5 ସୁତ୍ରୀ ପ୍ରତିଶ୍ରୁତି ସଫଳ ହେବା ପରେ ଏବେ ତେଲେଙ୍ଗାନାରେ କଂଗ୍ରେସ ସେହି ଫର୍ମୁଲା ଆପଣେଇଛି । ଆଗକୁ ଓଡ଼ିଶାରେ ନିର୍ବାଚନ ଥିବାରୁ କଂଗ୍ରେସ ସ୍ବତନ୍ତ୍ର ମାନିଫେଷ୍ଟୋ ଆଣିବ । ଯାହା ରାଜ୍ୟବାସୀଙ୍କ ହିତ ସାଧନ କରିବ।"
ଇଟିଭି ଭାରତ, ଭୁବନେଶ୍ବର