ଭୁବନେଶ୍ବର: ବିଧାନସଭାରେ 2 ବିଜେପି ବିଧାୟକ ନିଲମ୍ବିତ ଉପରେ ବିଧାୟକ ଦଳ ନୋତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିକ୍ଷା ଲାଭ କରିଛନ୍ତି । 10ରୁ 8 ମାର୍କ ଦେଇଥିବାରୁ ସେ ଅନୁସାରେ କାମ କରୁଛନ୍ତି । ଯାହା ଫଳରେ ବାଚସ୍ପତିଙ୍କ ଉପରକୁ ଡାଲି ପକାଇ ବିଜେପି ବିଧାୟକ ସସପେଣ୍ଡ ହୋଇଛନ୍ତି ।
ତେବେ ନରସିଂହ କହିଛନ୍ତି " ଗୋଟେ କଥା ଅଛି ସୈତାନର ବେଦ ପାଠ । ସଂସଦରେ କିଛି କଥା କହିଦେଲେ କଂଗ୍ରେସ ଓ ଇଣ୍ଡିଆ ଗ୍ରୁପ ଦଳର ସଦସ୍ୟଙ୍କୁ ସସପେଣ୍ଡ କରାଯାଉଛି । ବିଜେପି ବିଧାୟକ ବାଚସ୍ପତିଙ୍କୁ ଡାଲି ପକାଇ ସସପେଣ୍ଡ ହୋଇଛନ୍ତି । ଏଠି କାହାକୁ ଦୋଷ ଦେବେ । ସଂସଦରେ ଏନଡିଏ ସଦସ୍ୟ ଯାବତୀୟ ଭାଷାରେ ଗାଳି ଦେଉଛନ୍ତି । ବିରୋଧୀ ଦଳଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳି ଦେଉଛନ୍ତି । ତାଙ୍କୁ ଯଦି ଏଠି କିଛି ଅପଶବ୍ଦ ବ୍ୟବହାର ହେଲା କାହାକୁ ଆମେ ଦୋଷ ଦେବା । ଜୟ ନାରାୟଣ ଓ ମୋ ବିରୋଧରେ ସମାନ ଶବ୍ଦ ବ୍ୟବହାର ହୋଇଥିଲା । ସେଥିରେ କିଏ ମ୍ୟାନେଜ ହୋଇଛି । ଏହା ଜନତା କହିବେ ।"
ଏହା ମଧ୍ୟ ପଢ଼ନ୍ତୁ....2024 ନିର୍ବାଚନରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେଉ: ନରସିଂହ ମିଶ୍ର
ନରସିଂହ ଏହା ମଧ୍ୟ କହିଛନ୍ତି "ମୁଖ୍ୟ ବିରୋଧୀ ଦଳ ବିଧାନସଭାରେ ଦୁଇଟି ଅଛି । ବିଜେପି ନେତା ଓ କଂଗ୍ରେସ ନେତାଙ୍କୁ ସମାନ ଶବ୍ଦ ବ୍ୟବହାର ହୋଇଛି । ମ୍ୟାନେଜ ହେବା କଥା କହି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଆଗରୁ ମଧ୍ୟ ଏମିତି ବକ୍ତବ୍ୟ ଦେଇଥିଲେ । ବିଧାନସଭାରେ କହିଲେ ଯେ, ସେ କଂଗ୍ରେସ ବିଧାୟକ ଦଳର ନେତାଙ୍କ ବିରୋଧରେ କିଛି କହିନାହାନ୍ତି । ଚଳିତ ବିଧାନସଭା ଅଧିବେଶନରେ କଂଗ୍ରେସ ଦଳ ଘୋର ପ୍ରତିବାଦ କରିଛି । ବିଜେପି ଯେଉଁ ଭାଷାରେ କହିଛି, ତାହାଠାରୁ ଢେର କଠୋର ଭାଷାରେ କଂଗ୍ରେସ ସମାଲୋଚନା କରିଛି । ଏହା ରେକର୍ଡ କହିବ ।"
"ବିଜେପି ଯଦି କହିବ ଆମେ ଗୃହ ମଧ୍ୟକୁ ଗଲୁ, ଆମ ପଛରେ କଂଗ୍ରେସ ଆସିଲା ନାହିଁ । ସେଇଟା ଦିବା ସ୍ୱପ୍ନ । ଆମେ ଆମ ଢଙ୍ଗରେ ବିରୋଧ କରୁଛୁ । ସେମାନେ ତାଙ୍କ ଢଙ୍ଗରେ କରୁଛନ୍ତି । ସେ ଉପହାର ଦେଇଛନ୍ତି ନା ଫୋପାଡ଼ିଛନ୍ତି ତାହା ସମସ୍ତେ ଦେଖିଛନ୍ତି । ଅପଶବ୍ଦ ବ୍ୟବହାର ଉପରେ ବିଜେପି ପ୍ରତିବାଦ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ବିଭିନ୍ନ ଢଙ୍ଗରେ ପ୍ରତିବାଦ କରାଯାଇପାରେ । ପାର୍ଲିଆମେଣ୍ଟରେ ଯଦି କଠୋର ଶବ୍ଦ ବ୍ୟବହାର କଲେ ସସପେଣ୍ଡ ହେଉଛି । ବୋଧେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିକ୍ଷା ଲାଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ 10ରୁ 8 ମାର୍କ ଦେଇଥିବାରୁ ସେହି ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରି କାମ କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର