ଖୋର୍ଦ୍ଧା : କଂଗ୍ରେସକୁ ମାଡି ଆସୁଛି ଗୋଟିଏ ପରେ ଗୋଟିଏ ବିପଦ । କିଛି ଦିନ ତଳେ ଦଳ ଛାଡିଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି । ଆଉ ଏବେ ହାତ ଦଳରୁ ସବୁ ମୋହ ଛାଡି ଶଙ୍ଖ ଫୁଙ୍କିବାକୁ ତୟାର ହେଲେଣି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ ସାହୁ । ଏକଦା ବେଗୁନିଆ ବୋଲଗଡ଼ କଂଗ୍ରେସ ଦଳର ଗଡ଼ ଥିବାବେଳେ ଏହିଠାରୁ ନିର୍ବାଚନ ଲଢ଼ି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ଏବେ ତାଙ୍କରି ଅନୁଗତ ପ୍ରଦୀପ ସାହୁ ବିଜୁ ଜନତା ଦଳରେ ସାମିଲ ହେବେ ।
କର୍ମୀ ସମ୍ମିଳନୀରେ ଆଜି ବିଜେଡିରେ ଯୋଗ ଦେବା ନେଇ ପ୍ରକାଶ କରିଛନ୍ତି ପ୍ରଦୀପ । ବୋଲଗଡ଼ର ମା କୋଶଳାଶୁଣି ପୀଠରେ ଅନୁଷ୍ଠିତ ହୋଇଥିବା ଏକ କର୍ମୀ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଦୀପ । ବିଜେଡିରେ ମିଶୁଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି ସେ । ତେବେ ଆଗାମୀ 15 ତାରିଖରେ ନବୀନ ନିବାସରେ ମିଶିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି । ପ୍ରଦୀପ ବିଜେଡିରେ ସାମିଲ ହେଲେ । କଂଗ୍ରେସର ମଙ୍ଗ ବେଗୁନିଆରେ କିଏ ଧରିବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ