ଭୁବନେଶ୍ବର: ଡିସେମ୍ବର ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ରାଜ୍ୟ । ଭୂମିହୀନଙ୍କୁ ଦିଆଯିବ ଜମି ପଟ୍ଟା । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସହରାଞ୍ଚଳରେ ଉପକୃତ ହେବେ ଲକ୍ଷାଧିକ ପରିବାର । ଏନେଇ ଡ୍ରୋନ ଜରିଆରେ ଓ ଘରକୁ ଘର ବୁଲି ହେବ ସର୍ଭେ । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କୁ ଜମି ଦେଇ ସମ୍ମାନର ସହ ବଞ୍ଚିବାର ଏକ ଛାତ ଦେବାର ସଂକଳ୍ପ ନେଇଛନ୍ତି ସରକାର ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର (Land Rights To Slum Dwellers ) କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି । ସ୍ଥାନୀୟ କିଟ କନଭେନସନ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି ।
ଏହାବି ପଢନ୍ତୁ- ମହାମହିମଙ୍କ ନିଆରା ଜଗା ଦର୍ଶନ: କାରକେଡ୍ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ
ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା (Spiritual journey) ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି । ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି । ଏହି ମିଶନର ଫୋକସ ହେଉଛି People first । ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ । ଆମର ଏଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଛନ୍ତି ।ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ଏହି ସଂଘ ଗୁଡିକୁ ଆମେ ସରକାରଙ୍କ ଚତୁର୍ଥ ସଂଘ ଭାବେ ମାନ୍ୟତା ଦେଇଛୁ । ସେମାନଙ୍କ ବିକାଶ ଓ ଶାସନତନ୍ତ୍ର ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ । ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ । ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଏହି ସଂଘ ଗୁଡିକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଚୁପ ହୋଇ ବସି ପାରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହାବି ପଢନ୍ତୁ- କ୍ୟାପିଟାଲ ଓ ବିଏମସି ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ ନିଯୁକ୍ତି ପାଇଁ କର୍ପସ ଫଣ୍ଡ
ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟର ସହର ଗୁଡିକ ବିଶେଷ କରି ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ସେ ଉଚ୍ଚପ୍ରଶଂସା କରିଛନ୍ତି ।ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିବାବେ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମର ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଛନ୍ତି । ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜିଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି ।
୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ । ସାରା ରାଜ୍ୟ ବସ୍ତି ମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଅନ୍ୟପଟେ ଭୁବନେଶ୍ବରରେ ରାଜୀବ ଆବାସ ଓ ଆବାସ ଯୋଜନାରେ ବହୁ ପରିବାରଙ୍କୁ ପକ୍କା ଘର ଯୋଗାଇ ଥଇଥାନ କରାଯାଇଛି । ତଥାପି ଅନେକ ପରିବାର ଉଭୟ ତାଲିକାରୁ ବିଭିନ୍ନ କାରଣରୁ ବାଦ୍ ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା ତଥା ସର୍ବବୃହତ ଯୋଜନା ଜାଗା ମିଶନ କାର୍ଯ୍ୟକାରୀ ହେଲେ ରାଜଧାନୀର ଲକ୍ଷାଧିକ ପରିବାର ଉପକୃତ ହୋଇପାରିବେ ବୋଲି କହିଛନ୍ତି ଭୁବନେଶ୍ବର ମେୟର । ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ବରରେ ଯଦିଓ ୪୩୬ଟି ବସ୍ତିକୁ ପଞ୍ଜିକରଣ କରାଯାଇଛି ତେବେ ଅହୁରି ଅନେକ ବସ୍ତି ଏହି ତାଲିକାରୁ ବାଦ ପଡିଛନ୍ତି । ପର୍ଯ୍ୟାୟ କ୍ରମେ ସମସ୍ତ ବସ୍ତିର ପୁନଃ ସର୍ଭେ କରାଯିବ ବୋଲି ଗାଡକଣା ଠାରେ ଆୟୋଜିତ ହୋଇଥିବା ବିଶାଳ ସଭାରେ ଉପସ୍ଥିତ ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର