ଭୁବନେଶ୍ବର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଜିମ୍ନାଷ୍ଟିକ୍ସର ଉଜ୍ଜ୍ବଳ ତାରକା ପ୍ରଣତି ନାୟକ । ପ୍ରଣତିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ପ୍ରତିଭା ସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରିବା ସହ ମୋଟ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ବର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫ୍ଲୋର ଅଭ୍ୟାସରେ ସେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡିଶାରେ କ୍ରୀଡା ପ୍ରତିଭା ସୃଷ୍ଟି ଉଦ୍ୟମର ବଳିଷ୍ଠ ପ୍ରମାଣ ହେଉଛି ପ୍ରଣତି ନାୟକଙ୍କ ସଫଳତା । ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି । ପ୍ରଣତି ଯୁବ ଆଥଲେଟ୍ମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା ଏବଂ ମୋର ବିଶ୍ବାସ ଯେ ସେ ଆମ ରାଜ୍ୟ ଓ ଦେଶର ସମ୍ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ ।" ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଏସୀୟ ପାରା କ୍ରୀଡାବୀତଙ୍କୁ 10 ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା
5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପର୍ଫର୍ମାନ୍ସ ସେଣ୍ଟରର ଆଥଲେଟ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ବାବଧାନରେ ଅଛନ୍ତି । ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ତୃଣମୂଳସ୍ତରରୁ ସର୍ବୋଚ୍ଚସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର