ଭୁବନେଶ୍ବର: ରାଜ୍ୟ ସରକାର ଆଜି ୧୨୦୫ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ସ୍ବାସ୍ଥ୍ୟସେବାରେ ଓଡ଼ିଶା ଆହୁରି ସୁଦୃଢ ହୋଇଛି । ଏହାସହ ଚଳିତ ବର୍ଷ ଆଉ ୫ ହଜାରରୁ ଅଧିକ ଡାକ୍ତର ଓ ୯ ହଜାରରୁ ଊର୍ଦ୍ଧ୍ବ ନର୍ସ ଓ ପାରାମେଡିକାଲ ଅଫିସର ନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି । ଯାହା ଫଳରେ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସ୍ବାସ୍ଥ୍ୟସେବା ସୁନିଶ୍ଚିତ ହେବ । ରାଜ୍ୟରେ ଗତ ୧୦ ବର୍ଷରେ ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨୦୦ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି । ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ 'ପ୍ରତ୍ୟେକ ଜୀବନ ମୂଲ୍ୟବାନ' ମନ୍ତ୍ର ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବାଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ବଦଳାଇ ଦିଆଯାଇଛି । ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ନବ ନିଯୁକ୍ତ ଡାକ୍ତରଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟ ସ୍ବାସ୍ଥ୍ୟସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟନ୍ତ୍ରୀ । ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବାକୁ ହେଲେ ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଡାକ୍ତରଙ୍କୁ କହିଛନ୍ତି । କୋଭିଡ ଓ ବାଲେଶ୍ଵର ରେଳ ଦୁର୍ଘଟଣା ପରି ବଡ଼ ବିପର୍ଯ୍ୟୟ ସମୟରେ ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେମାନଙ୍କ ସହଯୋଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା । ସାଇକ୍ଲୋନ ମ୍ୟାନଜେମେଣ୍ଟ ଏକ ଲଙ୍ଗ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ ମ୍ୟାନେଜମେଣ୍ଟ ପରେ ଏବେ ଏକ ସଡନ କ୍ରାଇସିସ୍ରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । 'ପ୍ରତ୍ୟେକ ଜୀବନ ମୂଲ୍ୟବାନ' ନୀତି ରାଜ୍ୟର ସ୍ବାସ୍ଥ୍ୟ ଚିତ୍ର ବଦଳାଇ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବାବଦରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । ଶେଷରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବାଲେଶ୍ଵର ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର