ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଆରିକିମା ଗ୍ରାମର ପ୍ରସିଦ୍ଧ କୋଶଳାଶୁଣୀ ମନ୍ଦିର ପରିସରରେ କୋଶଳାଶୁଣୀ ମହୋତ୍ସବ ୨୦୨୨ ଉଦଯାପିତ ହୋଇଯାଇଛି । ପାଞ୍ଚଦିନ ବ୍ୟାପି ଚାଲିଥିବା ମହୋତ୍ସବରେ ଉଦଘାଟନ ଦିବସରେ ଏକ ମଶାଲ ଶୋଭାଯାତ୍ରା ମା' କୋଶଳାଶୁଣୀ ପୀଠରୁ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିସହ ମୁକ୍ତ ମଞ୍ଚ ନିକଟରେ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦୀର୍ଘ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ମହୋତ୍ସବ ବନ୍ଦ ଥିଲା । କଟକଣା ହଟିବାପରେ ଏବର୍ଷ ମହୋତ୍ସବ ଧୂମଧାମରେ ଆରମ୍ଭ ହୋଇ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପିତ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ହୋଇଥିବା ମହୋତ୍ସବ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଜନସାଧାରଣଙ୍କ ସମାରୋହ ହୋଇଥିଲା ।
ଉଦ୍ଯାପିତ ସନ୍ଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଗାଁର କୁନିକୁନି ପ୍ରତିଭାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମା' କୋଶଳାଶୁଣୀ ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହୁଡିରୁ ଆସିଥିବା ମା' ମଙ୍ଗଳାପାଇକ ଆଖଡା ଓ ଓଡ଼ିଶୀନୃତ୍ୟ ଦର୍ଶନଙ୍କ ମନକୁ ଛୁଇଁଥିଲା । ସେହିପରି ରଙ୍ଗୀନ ସାହି ନୃତ୍ୟ ସହ ଗ୍ରାମଞ୍ଚଳରେ କୁନିକୁନି କଳାକାରଙ୍କ ନୃତ୍ୟ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା