ଭୁବନେଶ୍ବର: ମଙ୍ଗଳାଯୋଡି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଜେଟିରେ ପହଁଞ୍ଚିଥିଲେ ମୁଖ୍ୟ ଶାସନ ସଚିବ । ସେଠାରେ କାତମରା ଡଙ୍ଗାରେ ଯାଇ ପକ୍ଷୀ ଅଭୟାରଣ୍ୟରେ ବିଭିନ୍ନ ଜାତିର ପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିଥିଲେ । ଏହା ସହିତ ସେଠାକାର ଭିତ୍ତିଭୂମିର ସମୀକ୍ଷା କରିଥିଲେ ସୁରେଶ ମହାପାତ୍ର ।
ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳାଯୋଡିକୁ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ଏନେଇ ପର୍ଯ୍ୟଟକମାନଙ୍କ ପାଇଁ ଥିବା ସୁବିଧା ସୁଯୋଗର ସମୀକ୍ଷା କରିଥିଲେ । ମଙ୍ଗଳାଯୋଡି ଲେବଲ୍ କ୍ରସିଂଠାରୁ ଜେଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉନ୍ନତି କରିବା, ଜେଟିଠାରେ ପର୍ଯ୍ୟଟକମାନଙ୍କ ଗାଡି ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା, ପରିବେଶକୁ ସ୍ବଚ୍ଛ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏହାସହ ମଙ୍ଗଳା ଯୋଡ଼ିର କିଭଳି ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେନେଇ ସ୍ଥାନୀୟ ଗାଇଡ୍, ପକ୍ଷୀ ସୁରକ୍ଷା ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବନ୍ୟପ୍ରାଣୀ DFO ରାମସ୍ବାମୀ, ACF ପ୍ରଶାନ୍ତ କୁମାର ପଣ୍ଡା, ଟାଙ୍ଗୀ ତହସିଲଦାର ଜନ୍ମେଜେୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର