ଭୁବନେଶ୍ବର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । 6 ମାସ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । 2024 ଜୁନ 30 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡିସେମ୍ବର 31 ତାରିଖରେ ଅବସର ନେବାର ଥିଲା । ତାଙ୍କ ସ୍ଥାନରେ କାହାକୁ ମିଳିବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସେ ଚର୍ଚ୍ଚାରେ ଲାଗିଛି ବିରାମ । ନୂଆବର୍ଷରେ ନୂଆ ମୁଖିଆ ଆସିବେ ନାହିଁ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ହିଁ ମୁଖ୍ୟ ଶାସନ ସଚିବ ପଦରେ ରହିବେ । ତାଙ୍କ କାର୍ଯ୍ୟକାଳକୁ 6 ମାସ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡିସେମ୍ବର 31 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ । ନୂଆ ବର୍ଷରେ ଓଡ଼ିଶା କାହାକୁ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ପାଇବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଆଜି ଅନ୍ତ ହୋଇଛି । ପ୍ରଦୀପ ଜେନା ଆହୁରି 6 ମାସ ମଖ୍ୟ ଶାସନ ସଚିବ ପଦରେ ରହିବେ । ଏଥିପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହା ରାଜ୍ୟ ସରକାରଙ୍କ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ । ପରବର୍ତ୍ତୀ ମୂଖ୍ୟ ଚୟନ କରିବା ସରକାରଙ୍କ ପାଇଁ କାଠିକର ପାଠ ଥିଲା । କାହାକୁ ନୂଆ ମୁଖିଆ କରିବେ, ଓଡ଼ିଆ ନା ଅଣଓଡ଼ିଆ ତାକୁ ନେଇ ଆଲୋଚନା ଜୋର ଧରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ସିଏମଓର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର, କିଏ ହେବେ ଓଇଆରସି ଅଧ୍ୟକ୍ଷ
ପ୍ରଦୀପ ଜେନା ହେଉଛନ୍ତି 1989 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ଯଦି ଓଡ଼ିଆ ଭାବରେ ଦେଖିବା, ତାହେଲେ ତାଙ୍କ ତଳକୁ 1991 ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ସତ୍ୟବ୍ରତ ସାହୁ । ସତ୍ୟବ୍ରତ ସାହୁ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଏସ୍ଆର୍ସି ଦାୟିତ୍ବରେ ଅଛନ୍ତି । ସେହିପରି 1991 ବ୍ୟାଚ୍ର ଅନ୍ୟତମ ଆଇଏଏସ୍ ହେଉଛନ୍ତି ଅନୁ ଗର୍ଗ । ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଅଛନ୍ତି । ଅନୁ ଗର୍ଗ 2029ରେ ଅବସର ନେବେ । ଯେହେତୁ ତାଙ୍କ ଅବସର ବହୁତ ଲମ୍ବା ସମୟ ଅଛି, ସେଥିପାଇଁ ହୁଏତ ରାଜ୍ୟ ସରକାର ତାଙ୍କୁ ଏତେଦିନ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ କରିବା ପାଇଁ ଚାହୁଁ ନାହାନ୍ତି । ତେବେ ଏଭଳି ମୂହୁର୍ତ୍ତରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ସରକାର ।
ଇଟିଭି ଭାରତ, ଭୁବନେଶ୍ବର