ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ରାଜ୍ୟର ଅନେକ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମାରାଶି(PMFBY) ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲା । କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ମରୁଡି କ୍ଷତିଗ୍ରସ୍ତ ଚାଷୀମାନେ ଫସଲ ବୀମାରାଶି ପାଇନାହାନ୍ତି । ଏହାରି ମଧ୍ୟରେ ରାଜ୍ୟ ସରକାର ଗତ 15 ନଭେମ୍ବରରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ତାହାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, " ଚାଷୀଙ୍କ କଲ୍ୟାଣ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଯୋଗ୍ୟ ଚାଷୀ ବୀମାରାଶି ପାଇପାରିବେ, ସେଥିପାଇଁ ସମସ୍ତ ଷ୍ଟେକ ହୋଲ୍ଡରଙ୍କ ସହିତ ଆଲୋଚନା କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଷ୍ଟେକ୍ ହୋଲଡରଙ୍କ ଦାୟିତ୍ବ ନିର୍ଦ୍ଧାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ରେଟ୍ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ରହିଛି । ଏହାବ୍ୟତିତ ସ୍ବଚ୍ଛତାର ସହ ଶସ୍ୟକାଟ ଆକଳନ(CCE)କୁ ଆପ୍ ମାଧ୍ୟମରେ ପରିଚାଳନା କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ଏ ବିବାଦରେ ତ୍ବରିତ ସମାଧାନ ପାଇଁ ମଧ୍ୟ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ: Odisha BJPs Call For Satyagraha: ଚାଷୀଙ୍କ ପାଇଁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି
ଏହି ଆଧାରରେ ରାଜ୍ୟ ସ୍ତରରେ ବିବାଦ ଗୁଡ଼ିକର ସମାଧାନ ପାଇଁ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟିର ବ୍ୟବସ୍ଥା କରାଯାଇଛି । ସମସ୍ୟାର ସମାଧାନ ହୋଇନପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନା କରାଯିବାର ନିୟମ ରହିଛି । ଯଦି ବୀମା କମ୍ପାନୀ ଦ୍ବାରା ସୃଷ୍ଟି ହୋଇଥିବା ବିବାଦର ସମାଧାନ ନହୁଏ ତାହା ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି ନିକଟକୁ ସମାଧାନ ପାଇଁ ହସ୍ତାନ୍ତର କରାଯିବ ।
ଏହା ମଧ୍ୟ ପଢନ୍ତୁ: ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ
2022ରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଟେକ୍ନିକାଲ ଆନାଲିସିସ୍ କରାଯାଇନଥିବା ବୈଷୟିକ ପରାମର୍ଶ କମିଟି ବୈଠକରେ ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ବୀମା କମ୍ପାନୀଙ୍କ ବିବାଦକୁ MNCFC(Mahalanobis National Crop Forecast Centre) ନିକଟକୁ ଟେକ୍ନିକାଲ ଆନାଲିସିସ୍ ପାଇଁ ରେଫର୍ କରିଥିଲା । ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନେବେ ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସମାନ ଭାବରେ ସହଯୋଗ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର