ଭୁବନେଶ୍ବର: ରାଜଧାନୀରେ ଥମିବାର ନା ଧରୁନି ସଡକ ଦୁର୍ଘଟଣା । ଡିଭାଇଡର ପିଟି ହୋଇ ବିପରୀତ ଦିଗର ବସକୁ ପିଟିଲା କାର। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ରୁ 5ଜଣ ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି । କାରରେ 4 ଜଣ ଯୁବକ ଡମଣାରୁ ପଟିଆ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଓ ପରିବହନ ବିଭାଗର ଅଫିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ଦୁର୍ଘଟଣା ନେଇ ଏକ ଚିନ୍ତା ଜନକ ବିଷୟ ହୋଇଛି । କାରଣ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପାହାଳ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୂନ୍ୟ ସହନଶୀଳତା 10ଦିନରେ ଭୁବନେଶ୍ବରରେ ସଡକ ଦୁର୍ଘଟଣା ଯୋଗୁଁ 10 ଜଣଙ୍କର ଜୀବନ ଯାଇଛି । ଏବେବି ଏକାଧିକ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଶୂନ୍ୟ ମୃତାହତ ସପ୍ତାହ ଚାଲିଥିବା ବେଳେ ବାରମ୍ବାର ଦୁର୍ଘଟଣା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ନଜର ପକାନ୍ତୁ କିଛି ଦୁର୍ଘଟଣା ଉପରେ ।
ଏହା ମଧ୍ୟ ପଢନ୍ତୁ-ଟ୍ରକକୁ ପିଟିଲା କାର୍: ୨ ମୃତ, ରାଜଧାନୀରେ ୧୦ ଦିନରେ ଗଲାଣି ୬ ମୁଣ୍ଡ
ଡିସେମ୍ବର ୧ତାରିଖ ନୟାପଲ୍ଲୀ ଥାନା ସିଆରପି ଓଭରବ୍ରିଜ ତଳେ ଏକ ଅଟୋ ଓ ବାଇକ ମଧ୍ୟରେ ଧକ୍କା ଯୋଗୁଁ ଜଣେ ନବବିବାହିତ ଯୁବକ ଅଂଶୁମାନ ସାମଲଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ବିଳମ୍ବିତ ରାତିରେ ପାହାଳ ଛକ ମିଠା ବଜାରରେ ରାସ୍ତା ଉପରେ ଥିବା ଏକ ମିନି ଟ୍ରକ କାରକୁ ଧକ୍କା ଦେବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୁଶିଲ କର ଓ ଅମୂଲ୍ୟ ।
ଗତ ୨୯ ତାରିଖରେ ସହିଦନଗର ଥାନା ବାଣି ବିହାର ଓଭରବ୍ରିଜରେ ଏକ ଦୁର୍ଘଟଣା ଘଟିଥିଲା । ୨୭ ନଭେମ୍ବରରେ ପାହାଳ ଥାନା ଅଞ୍ଚଳର ତ୍ରିନାଥ ବଜାର ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଠି ଏକ ଟ୍ରାକ୍ଟର ଚଢିଯିବାରୁ ଜଗନ୍ନାଥପୁରର ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ସେହି ପାହାଳ ଥାନା ଅଞ୍ଚଳରେ ଗତ ୨୫ତାରିଖ ସନ୍ଧ୍ୟା ସମୟରେ ଏକ ଦୁର୍ଘଟଣା ଘଟିଥିଲା । ବାଇକ ସହ ସ୍କୁଟି ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ନଭେମ୍ବର ୨୧ ତାରିଖରେ ନୟାପଲ୍ଲୀ ଥାନା ସିଆରପି ଓଭର ବ୍ରିଜ ଉପରେ ହୋଇଥିଲା ଏକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର