ଖୋର୍ଦ୍ଧା: ଶନିବାର ଚିଲିକା ବ୍ଲକ ସିଙ୍ଗେଶ୍ବର ପଞ୍ଚାୟତର ରଘୁନାଥପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ନାବାଳକ ପିନୁ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଏକ ଗଛରୁ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଗ୍ରାମର ଖଲି ପ୍ରଧାନଙ୍କ ପୁଅ ପିନୁ ପ୍ରଧାନ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲା । ପୁଅର ଫେରିବାରେ ବିଳମ୍ବ ଦେଖି ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତ୍ରିରେ ମୃତଦେହକୁ ଗ୍ରାମ ନିକଟ ଏକ ଗଛରେ ଝୁଲିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା ।
ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ନାବାଳକ ମୃତ୍ୟୁର କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ