ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ କମିଶନରେଟ ଥାନା ଅନ୍ତର୍ଗତ ତରାବୋଇ ବଜାରରେ ସାମାନ୍ୟ ବଚସାକୁ ନେଇ ଘଟିଛି ତୁମୁଳକାଣ୍ଡ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି । ତେବେ ଏହି ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବା ବେଳେ ରାସ୍ତାରେ ଥିବା କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁକ୍ତିତର୍କ ପରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଗୋଷ୍ଠୀର ଲୋକମାନେ ଉଠାଇ ନେଇଥିବା ଘଟଣାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ତରାବୋଇ ବଜାରରେ କୌଣସି କଥାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ସହ ଅନ୍ୟ ଗୋଷ୍ଠୀର କିଛି ଲୋକଙ୍କର କଥା କଟାକଟି ହୋଇଥିଲା । ସେଥିରେ ଅନ୍ୟମାନେ ଯୋଗ ଦେଇଥିଲେ । ପରେ ସେହି ଯୁକ୍ତିତର୍କ ଗଣ୍ଡଗୋଳ ଆଡକୁ ବଢିଥିଲା । ଏହାରି ମଧ୍ୟରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଅନ୍ୟ ଗୋଷ୍ଠୀର ଲୋକମାନେ ଉଠାଇ ନେଇଥିବା ଚର୍ଚ୍ଚା ହୋଇଥିଲା । ଆଉ ତା' ପରେ ଘଟଣା ଉଗ୍ରରୂପ ନେଇଥିଲା । ଏହାକୁ ନେଇ ବଜାରରେ ଗୋଟିଏ ଗୋଷ୍ଠୀର ସଦସ୍ୟମାନେ କିଛି ବୋମା ପିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେଠାରେ ରଖାଯାଇଥିବା କିଛି ବାଇକ ଭାଙ୍ଗି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ରହି ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ-ଗଞ୍ଜାମ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ପୂର୍ବତନ ମେୟରଙ୍କ ଗାଡିକୁ ବୋମାମାଡ
ଏହା ମଧ୍ୟ ପଢନ୍ତୁ- ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ
ସେହିପରି ଗତ କିଛିମାସ ପୂର୍ବେ ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମରେ ବୋମାମାଡ ହୋଇଥିଲା । କିଛି ଦୁର୍ବୃତ୍ତ ଜୋର ଜବରଦସ୍ତି ଗ୍ରାମର ଭାଗିରଥି ପାହାଡସିଂ ଘରେ ପଶି ୩ରୁ ୪ଟି ବୋମାମାଡ କରିଥିଲେ । ଏଥିରେ ଘରର କାଚ ସହ ୱାସିଂମେସିନ, କୁଲର ଭଳି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିଲା । ସେହିପରି ଦୁର୍ବୃତ୍ତମାନେ ଜଣେ ପରିବାର ସଦସ୍ୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଯାହାକୁ ନେଇ ଜଙ୍କିଆ ଥାନାରେ ଏତଲା ଦିଆଯାଇଥିଲା । ସେହିପରି ଏହି ଘଟଣାରେ ମଧ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା