ଭୁବନେଶ୍ବର: ''ସମ୍ବେଦନଶୀଳ ଘଟଣା ପରେ ସ୍ୱାଭାବିକ ହେଉଛି ସମ୍ବଲପୁର । ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୋଲିସ ପ୍ରଶାସନର ଦୃଢ ଉଦ୍ୟମ ଯୋଗୁଁ ସେଠାରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ୱାଭାବିକ ହେଉ ବୋଲି ଚାହୁଁନାହାନ୍ତି । ଏଭଳି ଘଟଣା ଜାରି ରହୁ ବୋଲି ସେମାନଙ୍କ ଦ୍ୱାରା ଜାରି ବିବୃତ୍ତିରୁ ଜଣାପଡୁଛି ।'' ଏଭଳି ଅଭିଯୋଗ କରିଛନ୍ତି ବିଜେଡିର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର ।
ଉଭୟଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିଜେପିର ପ୍ରାରମ୍ଭିକ ପ୍ରୟାସ ବିଫଳ ହୋଇଛି । ରାଜ୍ୟ ବିଜେପି ନେତାମାନେ ବର୍ତ୍ତମାନ ବିଭିନ୍ନ ଉପାୟରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବନ୍ଦ ଡାକରା ଦେଇଥିଲା । ଯାହା ଓଡ଼ିଶାର ଗରିବ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି ।
ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହାର ଲୋକମାନେ ଶାନ୍ତିପ୍ରେମୀ । କିନ୍ତୁ ରାଜ୍ୟ ବିଜେପି ସେମାନଙ୍କୁ ଆଇନ ବିହୀନ ବୋଲି କହି କ୍ରମାଗତ ଭାବରେ ଅପମାନିତ କରୁଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ରାଜ୍ୟବାସୀ ଶାନ୍ତି ଚାହୁଁଛନ୍ତି ଏବଂ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେଉ ଚାହୁଁଛନ୍ତି । ଯାହା ବିଜେପିର ଏଜେଣ୍ଡା ସହ ମେଳ ଖାଉ ନାହିଁ । ତେଣୁ ସେମାନେ କ୍ରମାଗତ ଭାବରେ ଓଡ଼ିଶା ଏବଂ ୪.୫ କୋଟି ଓଡ଼ିଆବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ସମ୍ବଲପୁରର ସମ୍ବେଦନଶୀଳ ପ୍ରସଙ୍ଗକୁ ଜାରି ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରେସ୍ ବିବୃତି ଜରିଆରେ ଏହା କହିଛନ୍ତି ଦେବୀ ଓ ପ୍ରସନ୍ନ ।