ଭୁବନେଶ୍ବର : ଆଜି ଝାରସୁଗୁଡ଼ାରେ ହେଇଥିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ସ୍ମୃତି ସଭା । ମୁଖ୍ୟମନ୍ତ୍ରୀ ବି ଏହି ସଭାରେ ଯୋଗ ଦେଇଛନ୍ତି । କିନ୍ତୁ ଏହି ସଭାକୁ ନେଇ ବିଜେଡିକୁ ଘେରିଛି ବିଜେପି । ବିଜେପି କଟାକ୍ଷ କରି କହିଛି, ଏହା ଶ୍ରଦ୍ଧାଞ୍ଜଳି ସଭା ନା ବିଜେଡିର ଶକ୍ତି ପ୍ରଦର୍ଶନ ? ବିରୋଧୀ ଦଳ ନେତା ଜୟ ନାରାୟଣ ଆହୁରି ମଧ୍ୟ କହିଛନ୍ତି, "ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ବିଜେଡିର ଦଳୀୟ ସମାବେଶ । ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ମୋତେ କାହିଁକି ଡାକି ନାହାନ୍ତି ଶାସକ ଦଳ । ଏହା ବିଜେଡିର ରାଜନୈତିକ ସଭା, ତେଣୁ ମୋତେ କାହିଁକି ଡାକିବେ ?" ଡକା ଯାଇଥିଲେ ବି ମୁଁ ଯାଇନଥାନ୍ତି ବୋଲି କହିଲେ ବିରୋଧୀ ଦଳ ନେତା ଜୟ ନାରାୟଣ । ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ । ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲେ ନିଶ୍ଚିତ ଭାବେ ଯାଇଥାନ୍ତି ବୋଲି କହିଛନ୍ତି । ବିଜେଡି ସମାବେଶକୁ କାହିଁକି ଯିବି ବୋଲି କହି ବିଜେଡିକୁ ତେରେଛା ବାଣ ମାରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି,"ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ଜାଣି ହେଉନି । ଆଜି ନବ ଦାସଙ୍କ 12 ଦିନ ଅଛି, ସେଥିରେ ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମାବେଶ କରିବା ଆଶ୍ଚର୍ଯ୍ୟ ଘଟଣା ଭଳି ଲାଗୁଛି । ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ନିର୍ବାଚନମଣ୍ଡଳୀ ଲୋକ ଏବଂ ସମସ୍ତେ ଯିବା କଥା । କିନ୍ତୁ ଦଳୀୟ ରାଜନୀତି ଏମିତି ବ୍ୟବହାର କରିଛନ୍ତି ଯେ ଅନ୍ୟ ଦଳ ଲୋକ କେହି ଆସିବେ ନାହିଁ ଏବଂ ରାଜନୈତିକ ସମାବେଶ କରିବେ । 12 ଦିନରେ ରାଜନୈତିକ ସମାବେଶ କରିବା ଉଚିତ ଲାଗୁନାହିଁ । ଏହା ସମ୍ପୁର୍ଣ୍ଣ ଭାବେ ଭୋଟ ରାଜନୀତି । ତାଙ୍କ ଦଶାହ କାର୍ଯ୍ୟରେ ଶାରଦା ନାଏକ କହୁଛନ୍ତି ଆମେ ନିର୍ବାଚନ ଜିତିବୁ ବୋଲି ।"
ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଉପରେ ବି ବିଜେଡି ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି । ମରଶରୀରର ଅସ୍ତ୍ରୋପଚାର କରା ଯାଉଛି । ତାହେଲେ ଏମାନେ କିଭଳି ଲୋକ ଓଡିଶାବାସୀ ବିଚାର କରିବେ ବୋଲି ବିଜେପି ଟାର୍ଗେଟ୍ କରିଛି । ବିଜେଡି ହୀନ ଅସାମାଜିକ କାମ କରୁଥିବା ଅଭିଯୋଗ ହୋଇଛି । ଜୟ ନାରାୟଣ କହିଛନ୍ତି, "ଏମାନଙ୍କର ହୀନତା ଛଡ଼ା କିଛି ନାହିଁ । ହତ୍ୟାକାଣ୍ଡରେ ତାଙ୍କ ଦଳର ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି, ହେଲେ ସମବେଦନା ନାହିଁ । ସଠିକ ତଦନ୍ତ ହେଉନାହିଁ । କାରଣ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାରରେ ଏହି ହତ୍ୟାକାଣ୍ଡ । ସେଥିପାଇଁ ଏମାନେ କିଛି କରିବାକୁ ଚାହୁଁନାହାନ୍ତି । ସ୍ୱାର୍ଥ ପାଇଁ ମଣିଷ, ମଣିଷକୁ ମାରୁଛି ଏଠି।"
ଇଟିଭି ଭାରତ ,ଭୁବନେଶ୍ବର