ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ନିର୍ବାଚନ ଲଢିବା ପ୍ରସଙ୍ଗକୁ ନେଇ ଜାରି ରହିଛି ସସପେନ୍ସ । ସମ୍ବଲପୁର ନା ଢେଙ୍କାନାଳରୁ ପ୍ରାର୍ଥୀ ହେବେ ତାହାକୁ ଜୋର ଧରିଛି ଚର୍ଚ୍ଚା । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ସମ୍ବଲପୁରରୁ ଲଢାନ୍ତୁ ବୋଲି ଦାବି କରିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାୟକ । ସେ କହିଛନ୍ତି, "ଧର୍ମେନ୍ଦ୍ର ସମ୍ବଲପୁରରେ ଲଢ଼ିଲେ ଆମ ଅଞ୍ଚଳର ବିକାଶ ସହ ଦଳ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିବ । ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ନିର୍ବାଚନ ଲଢ଼ିବା ପାଇଁ ପାର୍ଟିକୁ ନିବେଦନ କରିଥିବା କଥା ସେ ଏକ କାର୍ଯ୍ୟକ୍ରମରେ କହିଥିଲେ । ଦଳ ଯଦି ସୁଯୋଗ ଦେବ, ତାହାଲେ ସେ ସମ୍ବଲପୁରରୁ ଲଢ଼ିବେ ବୋଲି କହିଥିଲେ ।"
ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି ଏକ ଗଣତାନ୍ତ୍ରିକ ଦଳ । ତେଣୁ ଦଳର ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ । ଧର୍ମେନ୍ଦ୍ର କେବଳ ସମ୍ବଲପୁର ନୁହେଁ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ରର ଆମେ ଯେତେ ନେତା ଅଛୁ, ଦାବି କରୁଛୁ ତାଙ୍କୁ ସେଠାରୁ ଲଢ଼ାଯାଉ । ଧର୍ମେନ୍ଦ୍ର ସମ୍ବଲପୁରରୁ ଲଢ଼ିଲେ ଆମ ଅଞ୍ଚଳର ବିକାଶ ହେବ । ଖୁବଶୀଘ୍ର ସେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖୀଣ୍ଡାକୁ ସ୍ବଦେଶ ଦର୍ଶନରେ ସାମିଲ କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ସାନ ଭାଇ ଛବିଳ ସାଏଙ୍କୁ ଲୋକେ ଜାଣୁନଥିଲେ । ସେ ସ୍ଥାନକୁ ଧର୍ମେନ୍ଦ୍ର ଆସିଥିଲେ । ଦିଲ୍ଲୀକୁ ଯାଇ ତୁରନ୍ତ ଏକ ବୈଠକ ବସାଇ ତାଙ୍କ ବିଷୟରେ ଗବେଷଣା କରିବା ପାଇଁ ପଦକ୍ଷେପ ନେଇ ସାରିଲେଣି । ଅନେକ କାର୍ଯ୍ୟକ୍ରମରେ ଆସୁଛନ୍ତି ଓ ପଦକ୍ଷେପ ନେବାକୁ ପ୍ରୟାସ କରୁଛନ୍ତି ।"
ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର, ଖୋଲାମଞ୍ଚରୁ ଦେଲେ ଇସାରା
"ନକ୍ସାପାଲ୍ଲୀରୁ ଧନୁପାଲ୍ଲୀ, ଧନୁପାଲ୍ଲୀରୁ ସିନ୍ଦୁରପଲ ଏକ ରାସ୍ତାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଚିଠି ଲେଖି ଅନୁମୋଦନ କରିଦେଇଛନ୍ତି । ସମ୍ବଲପୁରରେ ବିକାଶ କାମ ହେଉଛି । ଆଗକୁ ମଧ୍ୟ ହେବ । ସେଥିପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ସମ୍ବଲପୁର ପାଇଁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ଲଢ଼େଇବା ପାଇଁ ନିଶ୍ଚୟ ଦାବି ରଖିବୁ । ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢ଼ିବା ପାଇଁ ଆମେ ରାଜ୍ୟ ନେତୃତ୍ୱକୁ ଜଣେଇବୁ । ରାଜ୍ୟ ନେତୃତ୍ୱ ନିର୍ବାଚନ କମିଟି ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଜଣାଇବେ । ସିଧା କେନ୍ଦ୍ରକୁ ଯିବାର ଆବଶ୍ୟକତା ନାହିଁ । ପଶ୍ଚିମ ଓଡିଶାରୁ ବିଜେଡି କେତେ ସିଟ ନେବ ତାହା ସମୟ କହିବ । କିନ୍ତୁ ବିଜେପି ପଶ୍ଚିମ ଓଡିଶାର 5 ଲୋକସଭା ଆସନ ଜିତିବ, ତାହାର କୌଣସି ପ୍ରକାର ସନ୍ଦେହ ନାହିଁ । ଆମ ଦଳରେ ଟିମ ୱାର୍କ ଅଛି । ବିଜୁ ଜନତା ଦଳ ପରି ଏକଛତ୍ରବାଦ ନାହିଁ" କହି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ନାଉରୀ ନାୟକ ।
ଇଟିଭି ଭାରତ, ଭୁବନେଶ୍ବର