ଭୁବନେଶ୍ବର: ବଢୁଛି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଡୁଆ । ଦୁଷ୍କର୍ମ ଅଭିଯୋଗ ଆସିବା ପରଠାରୁ ମନ୍ତ୍ରୀଙ୍କ ଉପରେ ଭାରି ପଡିଛି ରାଜ୍ୟ ବିଜେପି । ପୋଲସରାରୁ ଆରମ୍ଭ କରି ଭୁବନେଶ୍ବର ଯାଏଁ ବଢିବାରେ ଲାଗିଛି ମନ୍ତ୍ରୀଙ୍କ ଅଡୁଆ । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରଥିବା ବିଜେପି ଆଜି ପୁଣି ଭୁବନେଶ୍ବରରେ ଆନ୍ଦୋଳନକୁ ଓହ୍ଲାଇଛି ।
ଆଜି ଭୁବନେଶ୍ବରରେ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟାଳୟରୁ ରାମ ମନ୍ଦିର ଛକ ପର୍ଯ୍ଯନ୍ତ ଏକ ଶୋଭାଯାତ୍ରା ବାହାରିଥିଲା । ଦଳ ଦାବି କରିଛି ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ଆଗକୁ ଆନ୍ଦୋଳନ ଆହୁରି ତେଜିବ ବୋଲି ବିଜେପି ଚେତାବନୀ ଦେଇଛି। ଦଳ ଅଭିଯୋଗ କରିଛି ବିଜେଡି ନିଜ ଦଳର ମହିଳା କର୍ମୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ସରକାର ଏବଂ ପୋଲିସ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ଯଦି କୌଣସି ମାମଲା ହୋଇନି ତାହେଲେ ତାଙ୍କୁ ଏତେ ଘଣ୍ଟା ଧରି ଥାନାରେ ବସେଇବା ଏବଂ ଷ୍ଟେଟମେଣ୍ଟ ରେକର୍ଡ କରିବା କଣ ଦରକାର ବୋଲି ପ୍ରଶ୍ନ କରିଛି ବିଜେପି।
ବିଜେପି କହିଛି ମହିଳା ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଲେ ବିଜେଡ଼ି ସରକାରର ମନ୍ତ୍ରୀ ଏବଂ ବିଧାୟକଙ୍କର ସମ୍ପୃକ୍ତି ଆସୁଛି । ତେଣୁ ସରକାର ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ଦଳ ଆଗକୁ ଆନ୍ଦୋଳନକୁ ତୀବ୍ର କରିବ ବୋଲି ବାବୁ ସିଂ କହିଛନ୍ତି। ଦଳ ଏହି ଆନ୍ଦୋଳକୁ ବ୍ୟାପକ କରିବା ସହ ସାରା ରାଜ୍ୟକୁ ଆନ୍ଦୋଳନ ନେବ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇ ନାହିଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ।
ସୂଚନାଯୋଗ୍ୟ ଯେ, ଏବେ ବିବାଦ ଘେରରେ ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଜୈନକ ମହିଳା ଶ୍ରୀକାନ୍ତଙ୍କ ବିରୋଧରେ ମହିଳା ଥାନାରେ ଦ୍ୱାରସ୍ଥ ହୋଇ ଦୁଷ୍କର୍ମ ଅଭିଯୋଗଆଣିଛନ୍ତି । ତେବେ ମହିଳା ଜଣଙ୍କ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧୀରେ ଅଭିଯୋଗ କରିଥିବା ଗଣମାଧ୍ୟମରେ କହିଛନ୍ତି । ମନ୍ତ୍ରୀଙ୍କ ବିରୋଧୀରେ ମହିଳା ଜଣଙ୍କ ନିର୍ଦ୍ଦିଷ୍ଟ ଭାବେ କଣ ଅଭିଯୋଗ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ନନେଇ ଦକ୍ଷିଣ ଓଡିଶା ମନ୍ତ୍ରୀଙ୍କ ନାଁ'ରେ ଶୋଷଣ ଅଭିଯୋଗ କଥା ଉଠାଇଥିଲେ । ସେତେବେଳେ ମଧ୍ୟ ଏହାକୁ ନେଇ ଯୋରଦାର ଚର୍ଚ୍ଚା ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର